fbpx

ପ୍ରାୟ ୫ଲକ୍ଷ ଲୋକ ରାଜ୍ୟକୁ ଫେରିବେ ବୋଲି ଆକଳନ ହୋଇଛି: ବାଗଚୀ

ଭୁବନେଶ୍ୱର, ୨୨ା୪(ଓଡ଼ିଶା ଭାସ୍କର): କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଆମକୁ ୩ଟି ପର୍ଯ୍ୟାୟ ଉପରେ ନଜର ରଖବିାକୁ ହେବ । ଏହାପରେ ୪ର୍ଥ ପର୍ଯ୍ୟାୟ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ୧ମ ପର୍ଯ୍ୟାୟରେ ଭାରତକୁ କରୋନା ବିଦେଶ ଫେରନ୍ତାଙ୍କ ଦ୍ୱାରା ଆସିଥିଲା । ସେତେବେଳେ ରାଜ୍ୟ ସରକାର ପଞ୍ଜୀକରଣ , ସ୍ୱେଚ୍ଛାକୃତ କ୍ୱାରେଣ୍ଟିନ୍ କଥା କହିଥିଲେ । ସେହିପରି୨ୟ ପର୍ଯ୍ୟାୟରେ ନିଜାମୁଦ୍ଦିନରୁ ଫେରିଥିବା ଲୋକ ଓ ୩ୟ ପର୍ଯ୍ୟାୟରେ ବାହାର ରାଜ୍ୟରୁ ଆସିଥିବା ଲୋକଙ୍କ ଦ୍ୱାରା ସଂକ୍ରମଣ ହୋଇଥିଲା ।
ଏହାସହ ସେ କହିଛନ୍ତି ଯେ ଦିନେ ନା ଦିନେ ତାଲାବନ୍ଦ କୋହଳ ହେବ । ଏହାପରେ ବାହାର ରାଜ୍ୟରେ ଅଟକିଥିବା ଓଡ଼ିଆ ନିଜ ରାଜ୍ୟକୁ ଫେରିବେ । ରାଜ୍ୟକୁ ଫେରୁଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ପୋର୍ଟାଲ ତିଆରି କରାଯାଉଛି । ସେମାନେ ଏଥିରେ ପଞ୍ଜୀକରଣ କରିପାରିବେ । ୨୪ଏପ୍ରିଲରୁ ଏହି ପୋର୍ଟାଲ କାର୍ଯ୍ୟ କରିବ । ପ୍ରାୟ ୫ଲକ୍ଷ ଲୋକ ଫେରିବେ ବୋଲି ଆକଳନ କରାଯାଇଛି । ଏଥିପାଇଁ ପଞ୍ଚାୟତ ସ୍ତରରେ ପ୍ରସ୍ତୁତି ହୋଇସାରିଛି । ଗ୍ରାମାଞ୍ଚଳରେ ହୋମ କ୍ୱାରେଣ୍ଟିନ ସମ୍ଭବ ନୁହେଁ । ତେଣୁ ଫେରିଥିବା ଲୋକଙ୍କୁ ସ୍ୱତନ୍ତ୍ର ଜାଗାରେ ରଖାଯିବ ।
ଆଜି ସୁଦ୍ଧା ବିଶ୍ୱରେ ୨୧୦ଦେଶରେ କରୋନା ବ୍ୟାପିସାରିଛି । ୨୫ଲକ୍ଷରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧ଲକ୍ଷ ୭୮ହଜାରରୁ ଅଧିକ ମୃତ୍ୟୁବରଣ କରିସାରିଲେଣି । ଓଡ଼ିଶାରେ ୧୩ହଜାର ୭୭୫ଟି ନମୁନାର ରିପୋର୍ଟ ଆସିଥିବା ବେଳେ ପଜିଟିଭ୍ ସଂଖ୍ୟା ୮୩ରେ ପହଞ୍ଚିଛି । ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ଆଜି ସମ୍ବଲପୁରରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହାସହ ରାଜ୍ୟରେ କୋଭିଡ଼ ହସ୍ପିଟାଲ ସଂଖ୍ୟା ୩୧ରେ ପହଞ୍ଚିଛି ।

Get real time updates directly on you device, subscribe now.