ଦେଶରେ ୫ମ ଏବଂ ରାଜ୍ୟରେ ୨ୟ ପର୍ଯ୍ୟାୟ ଚାଲିଛି ମତଦାନ : ଭୋଟ୍ ଦେଲେ ଅନିଲ ଅମ୍ବାନୀ

ଭୁବନେଶ୍ୱର: ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛି ସମୟ ପୂର୍ବରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ରାଜ୍ୟର ୫ଟି ସଂସଦୀୟ ଆସନ ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ଲାଗି ମତଦାନ ଚାଲିଛି । ମତଦାନ ପାଇଁ ୯ ହଜାର ୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରରେ ଅଣାଅଶୀ ଲକ୍ଷ ଅଣସ୍ତରୀ ହଜାର ୮୮୭ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିରୁ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୁଏଲ୍‍ ଓରାମ୍‍, ସଙ୍ଗୀତା କୁମାରୀସିଂଦେଓ, ବିଜେଡିରୁ ଭାରତୀୟ ହକି ଦଳର ପୂର୍ବତନ କ୍ୟାପ୍‍ଟେନ୍‍ ଦିଲ୍ଲୀପ ତିର୍କି, ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ଏବଂ କଣ୍ଟାବାଞ୍ଝି ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେଡିରୁ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ପ୍ରଦୀପ କୁମାର ଅମାତ, ଟୁକୁନୀ ସାହୁ ପ୍ରମୁଖଙ୍କ ରାଜନୈତିକ ଭବିଷ୍ୟତ ଆଜି ଭୋଟରମାନେ ନିର୍ଦ୍ଧାରଣ କରିବେ ।

ଅନ୍ୟପଟେ ଆଜି ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ୍ ଦେବାର ଦିନ ମୁମ୍ବାଇରେ ମତଦାନ ଚାଲିଛି। ଏଠାରେ ପଞ୍ଚମ ପର୍ଯ୍ୟାୟରେ ମୁମ୍ବାଇର ସମସ୍ତ ୬ ଟି ସିଟ୍ ଏବଂ ମୁମ୍ବାଇ ମହାନଗର ନିଗମ (MMR) ର ୪ଟି ସିଟରେ ଭୋଟ୍ ଗ୍ରହଣ କରାଯାଉଛି।

ଆଜି ରିଲାଏନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଅନିଲ ଅମ୍ବାନୀ ମଧ୍ୟ ମୁମ୍ବାଇର ଏକ ମତଦାନ ବୁଥରେ ପହଞ୍ଚି ନିଜର ମତଦାନ ଅଧିକାରକୁ ବ୍ୟବହାର କରି ଭୋଟ୍ ଦେଇଛନ୍ତି। ଅନିଲ ଅମ୍ବାନୀ ତାଙ୍କ କାରରେ ସକାଳ 7 ଟା ସମୟରେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ସେ ଧାଡିରେ ଠିଆ ହୋଇଥିଲେ, ତାଙ୍କ ପାଳି ଅପେକ୍ଷା କରିଥିଲେ ଏବଂ ଭୋଟ୍ ଦେଇଥିଲେ।