ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଷ୍ଟ ସମସ୍ତଙ୍କୁ ହୋଇଥାଏ, ସେ ମଣିଷ ହେଉ କି ପଶୁ ଅବା ଅନ୍ୟ କେଉଁ ଜୀବ । ତେବେ ଏହା ମଧ୍ୟରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଗଜରାଜ ପାଟିରେ ବୋମା ବିସ୍ଫୋରଣ ହେବା ପରେ ସେ ଯନ୍ତ୍ରଣା ସହ୍ୟ କରିପାରିନଥିଲା । ଫଳରେ ହାତୀଟି ଗର୍ଜନ କରି ଏଣେତେଣେ ଗର୍ଜନ କରି ବୁଲିଥିଲା ଓ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲା । ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଥିବା ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଜଙ୍ଗଲରୁ ପଘାରପାଣି ଜଙ୍ଗଲ ଭିତରକୁ ପଶି ଆସିଥିବା ଆହତ ହାତୀ ଶାବକଟି ଶେଷରେ ଆଖି ବୁଜିଛି ।
ଖବର ମୁତାବକ, ଶିକାରୀଙ୍କ ଷଡ଼ଯନ୍ତ୍ର ପାଇଁ ଆଜି ଏକ ନିରୀହ ହାତୀ ଶାବକର ଜୀବନ ଚାଲିଯାଇଛି । ଶିକାରୀମାନେ ଜଙ୍ଗଲରେ ବିଛାଇଥିବା ବିସ୍ଫୋରକ କାରଣରୁ ଆଜି ଗୋଟିଏ ଜୀବର ପ୍ରାଣହାନୀ ଘଟିଛି । ହାତୀ ଶାବକର ପାଟିରେ ବୋମା ଫୁଟିବା ଫଳରେ ତାକୁ ବଡ଼ ଧରଣର ଆଘାତ ଲାଗିଥିଲା । ଏହାପରେ ଗଜରାଜକୁ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲେ ହେଁ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଥିଲା । ଛତିଶଗଡ଼ ଓ ଓଡ଼ିଶା ବନ ବିଭାଗ ତରଫରୁ ଏ ନେଇ ସୂଚନା ଜାରି କରାଯାଇଛି ।
ହାତୀଟିର ପାଟିରେ ବୋମା ଫୁଟିବା ଫଳରେ ସେ ଗର୍ଜନ କରି ଏଣେତେଣେ ଦୌଡ଼ିବାରେ ଲାଗିଥିଲା । ଏହି ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ପଶୁ ହେଲେ ବି ତା’ର ଗୋଟିଏ ମନ ଅଛି, ସେ କେମିତି ଏଭଳି ଭୀଷଣ ଯନ୍ତ୍ରଣାକୁ ସହ୍ୟ କରିପାରି ଥାନ୍ତା । ଶିକାରୀଙ୍କ ଏହି ହୀନ କାରନାମା ପାଇଁ ଆଜି ଗୋଟିଏ ହାତୀ ଶାବକ ଅକାଳରେ ଆଖି ବୁଜିଛି । ୧୨ ଦିନ ପୂର୍ବେ ରାଇଘର ବ୍ଲକ ସୀମାନ୍ତରେ ଥିବା ପଘାରପାଣି ଜଙ୍ଗଲରେ ଏକ ୬ ବର୍ଷର ହାତୀ ଶାବକ ପାଟିରେ ଆଘାତ ଲାଗି ଖଣ୍ଡିଆ ଖାବରା ହୋଇଯାଇଥିଲା । ଶିକାରୀଙ୍କ ଦ୍ୱାରା ଜଙ୍ଗଲରେ ରଖାଯାଇଥିବା ବିସ୍ଫୋରକ ଫାଟିଯାଇ ହାତୀ ଶାବକର ପାଟିରେ ଆଘାତ ଲାଗିଥିଲା । ଏହାପରେ ଖାଦ୍ୟ ଖାଇ ନପାରି ହାତୀଟି ଦୁର୍ବଳ ହୋଇ ପଡ଼ିଥିଲା । ବନ ବିଭାଗ ପକ୍ଷରୁ ୪ ଥର ହାତୀଟିର ଚିକିତ୍ସା କରାଯାଇଥିଲେ ହେଁ ଶେଷରେ ତାକୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ହାତୀର ମରଶରୀରକୁ ବନ ବିଭାଗ ତରଫରୁ ଜବତ କରାଯିବା ସହ ଘଟଣାର ତଦନ୍ତ କରାଯାଉଛି ।