fbpx

ପୂରଣ ହେବ ୬୦୨୫ଟି ଶିକ୍ଷକ ପଦବୀ: ସୃଷ୍ଟି ହେବ ୧୫ ପ୍ରତିଶତ LTR ପଦବୀ, ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୨୦୨୩-୨୪ ବର୍ଷ ଲାଗି ବଜେଟକୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି । ପାଖାପାଖି ୨ ଲକ୍ଷ ୩୦ ହଜାର କୋଟିର ବଜେଟକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।

ଆସନ୍ତା ୨୧ ତାରିଖରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ଏହାପରେ ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ବୈଠକ ବସିଥିଲା । ମନ୍ତ୍ରୀ ପରିଷଦ ବୈଠକରେ ପାଖାପାଖି ୨.୩ ଲକ୍ଷ କୋଟିର ବଜେଟ ଉପରେ କ୍ୟାବିନେଟ ମୋହର ବାଜିଛି ।

ରାଜ୍ୟର ବିଭିନ୍ନ ହାଇସ୍କୁଲରେ ଆଉ ୬୦୨୫ଟି ନୂଆ ଶିକ୍ଷକଙ୍କୁ ନିଯୁକ୍ତି ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ହାଇସ୍କୁଲଗୁଡ଼ିକରେ ମୋଟ ୪୦,୧୬୬ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଛି । ଏହି ପଦବୀର ୧୫ ପ୍ରତିଶତ ଅର୍ଥାତ ୬୦୨୫ଟି ବିଭିନ୍ନ ସବଜେକ୍ସଟର ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ଲିଭ୍, ଟ୍ରେନିଂ, ରିଜର୍ଭ (ଏଲଟିଆର) ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ହୋଇଛି । ଶିକ୍ଷକମାନେ ଛୁଟି, ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ରହିଥାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୬୦୨୫ଟି ଏଲଟିଆର ଶିକ୍ଷକ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ଜଳଯୋଗାଣ ପାଇଁ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ତୃତୀୟ ଲିଙ୍ଗ ସନ୍ତାନଙ୍କୁ ପରିବାର ପେନସନ୍ ମିଳିବ । ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ ଏକର ଜମି ପାଇଁ ଅନୁମୋଦନ କରାଯାଇଛି । ବିମାନ ଇନ୍ଧନରେ ଭାଟକୁ ରାଜ୍ୟ ସରକାର ୧ ପ୍ରତିଶତକୁ ହ୍ରାସ କରିଛନ୍ତି । ଏସଭିକେଏମ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଜଟଣୀଠାରେ ଜମି ଯୋଗାଇଦେବେ । ଜେଲରେ କଏଦୀଙ୍କ ମୃତ୍ୟୁ ଘଟିଲେ ତାଙ୍କର ସମ୍ପର୍କୀୟ ପେନସନ ପାଇବେ । ଏମଏସଏମଇ ଉନ୍ନୟନ ନୀତି-୨୦୧୬ରେ ସଂଶୋଧନ କରାଯିବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପାଇଁ ୨୩୭ଟି ହଷ୍ଟେଲ ସ୍ଥାପନ କରାଯିବ ।

Get real time updates directly on you device, subscribe now.