ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍): ୭୫ତମ ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ, ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ । ସଂଗ୍ରାମୀଙ୍କ ସଂଘର୍ଷ ଫଳରେ ହିଁ ସ୍ୱାଧୀନତାର ସ୍ୱପ୍ନ ସାକାର ହୋଇଛି । ସେମାନେ ତ୍ୟାଗ ଓ ବଳିଦାନ ମାଧ୍ୟମରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହି ରାଷ୍ଟ୍ରପତି ସେହି ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ରାଷ୍ଟ୍ରପତି କହିଛନ୍ତି ଯେ, ଦେଶ ସ୍ୱାଧୀନତା ପାଇବା ପରେ ଅନେକ ବାଟ ଅତିକ୍ରମ କରି ସାରିଛି । ଦୀର୍ଘ ୭୫ ବର୍ଷ ମଧ୍ୟରେ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିଛି । ଭାରତର ଚମକ୍ରାର ସମଗ୍ର ବିଶ୍ୱ ଦେଖୁଛି ଓ ଭାରତର ସଫଳତାକୁ ଅନୁସରଣ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି । କରୋନା ବିରୋଧରେ ଭାରତର ଲଢ଼େଇ ପ୍ରଶଂସନୀୟ । କରୋନା ଲଢେଇରେ ଭାରତ ବିଶ୍ୱରେ ମଧ୍ୟ ନିଜର ଅବଦାନ ରଖିଛି । ଭାରତର କୋ-ୱିନ୍ ଆପ୍ ସଫଳତା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଦେଶରେ ଟିକାକରଣର ଗତି ବଢ଼ୁଛି । ଯାହାର ପ୍ରମାଣ ଦେଶରେ ୫୦ କୋଟିରୁ ଅଧିକ ଲୋକ ଟିକା ନେଇ ସାରିଛନ୍ତି । ଟିକା ହେଉଛି ସର୍ବୋତ୍ତମ ସୁରକ୍ଷା । ତେଣୁ ସମସ୍ତ ଦେଶବାସୀଙ୍କୁ ଟିକା ନେବାକୁ ଅନୁରୋଧ କରିଛନ୍ତି ରାଷ୍ଟ୍ରପତି ।
କରୋନା କାଳରେ ବୈଜ୍ଞାନିକଙ୍କ କାମ ପ୍ରଶଂସନୀୟ । କମ୍ ସମୟରେ ଟିକା ବାହାର କରିଥିବାରୁ ରାଷ୍ଟ୍ରପତି ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି । ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ପ୍ରଶାସକ ଏବଂ ଅନ୍ୟ କରୋନା ଯୋଦ୍ଧାମାନଙ୍କ ପାଇଁ କରୋନାର ଦ୍ୱିତୀୟ ଲହର କ୍ରମଶଃ ହ୍ରାସ ପାଇଛି । ଅନେକ କୋଭିଡ ଯୋଦ୍ଧା ପ୍ରାଣ ହରାଇଛନ୍ତି । ସେମାନଙ୍କୁ ଏହି ଅବସରରେ ମନେ ପକାଇଛନ୍ତି ରାଷ୍ଟ୍ରପତି । ତଥାପି ମହାମାରୀର ପ୍ରଭାବ ଏପର୍ଯ୍ୟନ୍ତ ଶେଷ ହୋଇନି ବୋଲି ରାଷ୍ଟ୍ରପତି କହିଛନ୍ତି । ଏବେ ବିକାଶର ପଥରେ ଚାଲିବାକୁ ପଡ଼ିବ । ବିକାଶ ପଥରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ପ୍ରତ୍ୟେକ ପ୍ରସଙ୍ଗର ସମାଧାନ କରିବାକୁ ପଡ଼ିବ । ଆମ ସମାଜରେ ବିଭିନ୍ନ ପ୍ରକାର ସମସ୍ୟା ଓ ତିକ୍ତତା ରହିଛି । କିନ୍ତୁ ବିବିଧତା ମଧ୍ୟରେ ପ୍ରତ୍ୟେକଙ୍କ ଦୃଷ୍ଟିକୋଣକୁ ସମ୍ମାନ ଜଣାଇ ଆମକୁ ଆଗକୁ ବଢ଼ିବାକୁ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି ।
ଅଲିମ୍ପିକ୍ସରେ ଖେଳାଳିଙ୍କ ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଛି । ଅଲିମ୍ପିକ୍ସରେ ମହିଳା ଖେଳାଳିଙ୍କ ପ୍ରଦର୍ଶନ ବିକଶିତ ଭାରତର ଝଲକ । ବାପା’ମା ଝିଅଙ୍କୁ ଆଗକୁ ବଢିବା ଲାଗି ପ୍ରେରଣା ଦେବା ଉଚିତ୍ ବୋଲି ରାଷ୍ଟ୍ରପତି କହିଛନ୍ତି । ସେହିପରି ଜଳବାୟୁ ସୁରକ୍ଷା ଉପରେ ରାଷ୍ଟ୍ରପତି କହିଛନ୍ତି, ଭାରତ କେବଳ ପ୍ୟାରିସ୍ ଜଳବାୟୁ ଚୁକ୍ତିନାମା ପାଳନ କରି ନାହିଁ ବରଂ ଜଳବାୟୁର ସୁରକ୍ଷା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିଠାରୁ ଅଧିକ ଅବଦାନ ରଖିଛି ।