fbpx

ଐତିହାସିକ ୮ ଏପ୍ରିଲ୍

୮ ଏପ୍ରିଲ୍ ହେଉଛି ବିଶ୍ୱ ଇତିହାସର ଏକ ଐତିହାସିକ ଦିନ । ଏହା କହିବାର କାରଣ ହେଉଛି ଏହି ତାରିଖରେ ବିଶ୍ୱରେ ଅନେକ ଗୁରୁତ୍ୱପୁର୍ଣ୍ଣ ଘଟଣାମାନ ଘଟିଯାଇଛି ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ତେବେ କଣ ରହିଛି ଏହି ଦିନର ତାତ୍ପର୍ଯ୍ୟ ଆସନ୍ତୁ ଜାଣିବା ।

କଥା ହେଉଛି ୮ ଏପ୍ରିଲ୍ ୧୯୨୯ର । ଦିଲ୍ଲୀର କେନ୍ଦ୍ରୀୟ ବିଧାନସଭାରେ ପବ୍ଲିକ୍ ସେଫଟି ବିଲ୍ ପାସ୍ ହେଉଥିଲା । ବିଲ୍ ଟି ପାସ୍ ହେଲା ପରେ ଏହା ଅଧାରିତ ଆଇନ୍ ପ୍ରଣୟନ ହୋଇଥାଆନ୍ତା । ଗୃହରେ ଖଚାଖଚ୍ ଭିଡ ଜମିଥିଲା । ଯେତେବେଳେ ବିଲ୍ ଟି ପାସ୍ ହେଲା ହଠାତ୍ ସଦନରେ ଗୋଟିଏ ବଡ ଧମାକା ହେଲା । ସେହି ସମୟରେ ଭିଡ ଭିତରୁ ଦୁଇ ଜଣ ଯୁବକ ଇନକିଲାବ୍ ଜିନ୍ଦାବାଦ୍ ର ନାରା ଦେଇ ଗୃହରେ ବମ୍ ପକାଇଥିଲେ । ସେମାନେ ହେଲେ ସହିଦ୍-ଏ-ଆଜମ୍ ଭଗତ ସିଂ ଓ ବଟୁକେଶ୍ୱର ଦତ୍ତ । ହେଲେ ବମ୍ ପକାଇବା ବେଳେ ସେମାନେ ଧ୍ୟାନରେ ରଖିଥିଲେ ଯେ, କାହାର ଯେପରି କିଛି ଅସୁବିଧା ନହୁଏ । ବମ୍ ଫାଟିବା ପରେ ଗୃହରେ ଉପସ୍ଥିତ ଥିବା ଦର୍ଶକ ମାନେ ଏଣେତେଣେ ଦୌଡୁଥାନ୍ତି । ସମ୍ପୂର୍ଣ୍ଣ ଗୃହ ଅନ୍ଧକାରମୟ ହୋଇଯାଇଥିଲା । କିନ୍ତୁ ବମ୍ ପକାଇଥିବା ଦୁଇ ଯୁବକ ସେଠାରେ ହିଁ ଗୋଟିଏ ସ୍ଥାନରେ ଛିଡା ହୋଇଥାନ୍ତି । ଇନକିଲାବ୍ ଜିନ୍ଦାବାଦ୍ ନାରା ଦେବା ମଧ୍ୟ ଜାରି ରଖିଥାନ୍ତି । ଭଗତ ସିଂ ଓ ବଟୁକେଶ୍ୱରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇଂରେଜ ମାନେ ଭାରତୀୟଙ୍କ ଉପରେ କରୁଥିବା ଅତ୍ୟାଚାରକୁ ବିରୋଧ କରିବାର ସ୍ୱର ସେମାନଙ୍କ ବଧିର କାନକୁ ଶୁଣାଇବା । ସେଥିପାଇଁ ସେମାନେ ବମ୍ ପକାଇଥିଲା ।
ତେବେ ଏହି କାଣ୍ଡ ପରେ ପୋଲିସ୍ ପାଖରେ ଦୁହେଁ ଆତ୍ମ ସମର୍ପଣ କରିଥିଲେ ।

ଆଉ ଏହି ଘଟଣା ପରେ ସେମାନେ ଭାରତୀୟ ଯୁବକ ମାନଙ୍କ ଭିତରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲେ । ଆଉ ଏହି ବମ୍ ବ୍ଲାଷ୍ଟିଂ ପରେ ଭଗତ ସିଂ ଓ ବଟୁକେଶ୍ୱର ଦତ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଦିଆଗଲା ଏବଂ ବଟୁକେଶ୍ୱର ଦତ୍ତଙ୍କୁ କଳାପାଣି ପଠାଇଦିଆଗଲା । ଏହାପରେ ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ୨୪ ମାର୍ଚ୍ଚ ୧୯୩୧ ଦିନ ଫାଶୀ ଦିଆଯିବ ବୋଲି ମଧ୍ୟ ଘୋଷଣା କରାଗଲା । କିନ୍ତୁ ଜନତାଙ୍କ ବିରୋଧକୁ ଡରି ମାର୍ଚ୍ଚ ୨୩ ତାରିଖ ମଧ୍ୟ ରାତ୍ରିରେ କ୍ରାନ୍ତିକାରୀ ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା ।


ଆହୁରି ମଧ୍ୟ ରହିଛି ଏପ୍ରିଲ୍ ୮ର ତାତ୍ପର୍ଯ୍ୟ । ଏପ୍ରିଲ ୧୮୫୭ ମସିହା ୮ ତାରିଖ ଦିନ ମଙ୍ଗଲ ପାଣ୍ଡେଙ୍କୁ ଫାଶୀ ଦିଆଯାଇଥିଲା । ସେ ଥିଲେ ବ୍ରିଟିଶ୍ ଭାରତର ବୈରଫପୁର ରେଜିମେଣ୍ଟର ଯବାନ । ତାଙ୍କୁ ଇଂରେଜ ଅଫିସର ମାନଙ୍କ ଉପରକୁ ଗୁଳି ଚଳାଇବା ତଥା ସେମାନଙ୍କ ଉପରକୁ ଆକ୍ରମଣ କରିବା ଅଭିଯୋଗରେ ଦୋଷୀ ସଜାଇ ଦିଆଯାଇଥିଲା । ଆଉ ଏହାର କିଛି ଦିନ ପରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଦିଆଗଲା ।

ଏଥିସହ ଏହି ୮ ଏପ୍ରିଲ୍ ରେ ଭାରତର ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରମ୍ ରଚୟିତା କବି ତଥା ଉପନ୍ୟାସକାର ବଙ୍କିମଚନ୍ଦ୍ର ଚଟୋପାଧ୍ୟାୟଙ୍କର ନିଧନ ହୋଇଥିଲା ।

Get real time updates directly on you device, subscribe now.