fbpx

ଇସ୍ରାଏଲ ଆକ୍ରମଣରେ ଚାଲିଗଲେ ୮ମାସର ଗର୍ଭବତୀ , ମୃତ୍ୟୁ ପରେ ସୁରକ୍ଷିତ ଜନ୍ମନେଲା ଶିଶୁ

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲ ପୁଣି ଏହାର ଆକ୍ରମଣକୁ ଜୋରଦାର କରିଦେଇଛି । ରବିବାର ଏହି ଆକ୍ରମଣରେ ଗୋଟିଏ ରାତିରେ ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ଜଣଙ୍କ ଜନ୍ମ ହୋଇଛି । ଇସ୍ରାଏଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ଗର୍ଭରୁ ଏକ ଶିଶୁ ଜନ୍ମ ନେଇଛି । ଏବେ ଶିଶୁକୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ଶିଶୁଟିର ଅବସ୍ଥା ସ୍ଥିର ରହିଛି ।

ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଇସ୍ରାଏଲର ଆକ୍ରମଣରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୧୩ ଶିଶୁ ରହିଛନ୍ତି । ଏପଟ ସେପଟ ହୋଇଥିବା ଦୁଇଟି ଘର ଏହି ଆକ୍ରମଣର ଶିକାର ହୋଇଛି ଓ ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ସମୟରେ ଜଣେ ମୃତ ମହିଳାଙ୍କ ଠାରୁ ଏକ ଶିଶୁ ଜନ୍ମ ହୋଇଛି । ଶିଶୁର ଓଜନ ପ୍ରାୟ ୧.୪କିଲୋଗ୍ରାମ ରହିଛି ଓ ଏହି ଡେଲିଭରୀ ଅପରେସନ ଦ୍ୱାରା କରାଯାଇଛି ।

ଶିଶୁର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ତା’ର ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି । ଶିଶୁଟିର ଜୀବନ ପ୍ରତି କୌଣସି ବିପଦ ନାହିଁ ବୋଲି ଡାକ୍ତର କହିଛନ୍ତି । ଶିଶୁର ମା’ ସବରୀନ୍ ଅଲ୍ ସକାନୀ ୩୦ ସପ୍ତାହର ଗର୍ଭବତୀ ଥିଲେ ଓ ଇସ୍ରାଏଲ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମା’ର ମୃତ୍ୟୁ ପରେ ଉଦ୍ଧାରକାରୀଦଳ ସେଠାରେ ପହଞ୍ଚି ଦେଖିଥିଲେ କି ତାଙ୍କ ଗର୍ଭରେ ଶିଶୁ ଜୀବିତ ରହିଛି । ଏହାପରେ ସେମାନେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ଓ ଅସ୍ତ୍ରୋପଚାର କରାଯାଇ ଶିଶୁକୁ ଗର୍ଭରୁ ବାହାର କରାଯାଇଥିଲା ।ଏହି ଆକ୍ରମଣରେ ସବରୀନଙ୍କ ସହିତ ତାଙ୍କର ଅନ୍ୟ ଏକ ସନ୍ତାନ ଓ ପତି ମଧ୍ୟ ମୃତ୍ୟୁବରଣ କରିଛନ୍ତି । ତେଣୁ ଏହି ଶିଶୁଟି ଏବେ ପୁରା ଅନାଥ ହୋଇପଡିଛି ।

Get real time updates directly on you device, subscribe now.