ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାଭାରତରେ ଅର୍ଜୁନଙ୍କ ପତ୍ନୀ ସୁଭଦ୍ରାଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଅଭିମନ୍ୟୁ । ମହାଭାରତ ଯୁଦ୍ଧ ସମୟରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଚକ୍ରବ୍ୟୁହକୁ ଭେଦ କରିବାକୁ ପାଣ୍ଡବ ପକ୍ଷର କୌଣସି ଯୋଦ୍ଧା ସାହସ କରିପାରିନଥିଲେ । ମାତ୍ର କମ୍ ବୟସରେ ବୀର ଅଭିମନ୍ୟୁ ଚକ୍ରବ୍ୟୁହକୁ ଭେଦ କରି ଯୁଦ୍ଧ କରିଥିଲେ । ତେବେ ଚକ୍ରବ୍ୟୁହରୁ ଫେରିବାର ବାଟ ଅଭିମନ୍ୟୁଙ୍କୁ ଜଣାନଥିଲା । ସେଥିପାଇଁ ସେ ଯୁଦ୍ଧରେ ମୃତ୍ୟୁବରଣ କରିଥିଲେ । ପ୍ରକୃତ କଥା ହେଉଛି, ଗର୍ଭବତୀ ସୁଭଦ୍ରାଙ୍କୁ ଅର୍ଜୁନ ଚକ୍ରବ୍ୟୁହ ବିଷୟରେ କହୁଥିବା ସମୟରେ ମା’ ପେଟରେ ଥାଇ ଅଭିମନ୍ୟୁ ତାହାକୁ ଶୁଣିପାରିଥିଲେ ବୋଲି କୁହାଯାଇଥାଏ ।
ତେବେ ବର୍ତ୍ତମାନର କଳିଯୁଗରେ ମହାଭାରତ ସମୟର ଏକ ଅନୁରୂପ କାହାଣୀର ପୁନରାବୃତ୍ତି ଘଟିଛି । ମାତ୍ର ୮ ମାସ ବୟସରେ ଗୋଟିଏ କଅଁଳ ଶିଶୁ ବିଷ୍ଣୁପୁରାଣ ଗାନ କରୁଥିବା ଦେଖିବାକୁ ମିଳିଛି । ପିଲାଙ୍କୁ ମା’ ଗର୍ଭରେ ରହି ବିଷ୍ଣୁ ପୁରାଣ ଶୁଣି ଏବେ ଗାଇ ପାରୁଛି ବୋଲି ଅନେକ କହୁଛନ୍ତି । ଶିଶୁଟି ବିଷ୍ଣୁ ପୁରାଣକୁ ସଠିକ୍ ଭାବେ କହୁଥିବାର ଭିଡିଓ ସାମ୍ନାକୁ ଆସିଛି । ମାତୃ ଗର୍ଭରେ ଥିବା ସମୟରେ ପିଲାଟି ବିଷ୍ଣୁ ଦାମୋଦର ପୁରୁଣା ଶୁଣିଥିଲା । ଏବେ ମା’ ଯେଉଁଠି ଅଟକୁଛନ୍ତି, ପିଲାଟି ତାହାକୁ ମନେ ପକାଇ ଦେଉଛି । ପିଲାଟିର ଏହି ଅଦ୍ଭୂତ ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ସାଧାରଣ ଭାବେ ବଡ଼ ବଡ଼ ଲୋକମାନେ କୌଣସି କଥାକୁ ମନେ ରଖିବା କଷ୍ଟକର ହୋଇଥାଏ । ମାତ୍ର ଏଭଳି ସ୍ଥିତିରେ ଗୋଟିଏ ୮ ମାସର ଶିଶୁ ବିଷ୍ଣୁ ପୁରାଣ ଗାଇବା କିଛି କମ୍ କଥା ନୁହେଁ । ୫ ବର୍ଷ ବୟସରେ ପିଲାମାନେ ପ୍ରଥମ ଶ୍ରେଣୀରେ ପାଠ ପଢ଼ିବା ବେଳକୁ ବର୍ଣ୍ଣବୋଧର ସମସ୍ତ ଅକ୍ଷର ଭଲ ଭାବେ ଜାଣି ନଥାନ୍ତି । ସେମାନେ ବହି ପଢ଼ିବା ତ ଦୂରର କଥା । ଏପରି ସ୍ଥିତିରେ ଏହି କୋମଳମତି ଶିଶୁଟିର ବିରଳ ପ୍ରତିଭା ଦେଖି ଏବେ ଚାରିଆଡ଼େ ବିଶେଷ ଚର୍ଚ୍ଚା ହେବାରେ ଲାଗିଛି । ମହାଭାରତରେ ଅଭିମନ୍ୟୁ ଯେପରି ମା’ ସୁଭଦ୍ରାଙ୍କ ଗର୍ଭରେ ଥାଇ ଚକ୍ରବ୍ୟୁହ ବିଷୟରେ ଶୁଣିଥିଲେ, ଅନୁରୂପ ଭାବେ ଏହି ପିଲାଟି ମଧ୍ୟ ମା’ ପେଟରେ ଥାଇ ବିଷ୍ଣୁ ପୁରାଣ ଶୁଣିଥିଲା ବୋଲି କୁହାଯାଉଛି ।