fbpx

(Video) Cystic Hygroma ରୋଗରେ ଆକ୍ରାନ୍ତ ୯ ମାସର ଶିଶୁକନ୍ୟା: ବେକ ବାଟେ ଖାଉଛି, ଜିଭ ବାହାରକୁ ବାହାରି ଆସିଛି, କାନ୍ଦିକାନ୍ଦି ସାହାଯ୍ୟ ମାଗୁଛନ୍ତି ପିତାମାତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଛୁଆଟି ଜନ୍ମଲାଭ କରିବା ପରେ ପିତାମାତା ବହୁତ ଖୁସି ହୋଇଥାନ୍ତି । ମାତ୍ର ଅନେକ ସମୟରେ କିଛି ନବଜାତ ବାପା, ମାଆଙ୍କ ଦୁଃଖର କାରଣ ସାଜିଥାନ୍ତି । ବେଳେବେଳେ କିଛି ଶିଶୁ ନୂଆ ଦୁନିଆ ଦେଖିଥାନ୍ତି ସତ, ହେଲେ ସେମାନେ ବିକଳାଙ୍ଗ, ରୋଗିଣା ଅବସ୍ଥାରେ ଜନ୍ମ ଗ୍ରହଣ କରିଥାନ୍ତି । ତେଣୁ ଏଭଳି ସ୍ଥିତିରେ ଶିଶୁଟି ଚାଲିବା, ବୁଲିବା, ଖାଇବା, ପିଇବା କ୍ଷେତ୍ରରେ ପିତାମାତାଙ୍କ ଉପରେ ନିର୍ଭର କରିଥାଏ । ଏପରିକି ଅନେକ ସମୟରେ କିଛି ଭୟଙ୍କର ରୋଗରେ ଶିଶୁଟି ଆକ୍ରାନ୍ତ ହୋଇ ତା’ର ଚିକିତ୍ସା ପାଇଁ ଅଜସ୍ର ଅର୍ଥର ମଧ୍ୟ ଆବଶ୍ୟକତା ପଡ଼ିଥାଏ ।

ସୂଚନା ମୁତାବକ, ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳରେ । ଗୋଟିଏ ୯ ମାସର ଶିଶୁକନ୍ୟା ଶ୍ରେୟାଂଶୀ ସିଷ୍ଟିକ ହାଇଗ୍ରୋମା ରୋଗରେ ଆକ୍ରାନ୍ତ ହୋଇଥିବା ଜନ୍ମ ପରେ ଜଣାପଡ଼ିଥିଲା । ତେଣୁ ଶ୍ରେୟାଂଶୀର ଅପରେସନ କରିବା ପାଇଁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ମେଡିକାଲ ସାଇନ୍ସ ପ୍ରତିଷ୍ଠାନ (ଏମ୍ସ) କହିଥିଲା । ଫଳରେ ଝିଅକୁ ଭଲ କରିବା ଆଶା ନେଇ ବାପା, ମାଆ ଜମି ବାଡ଼ି ସବୁ ବିକି ଅପରେସନ କରିଥିଲେ, ମାତ୍ର କିଛି ସୁଫଳ ମିଳିନଥିଲା ।

ବରଂ ଶ୍ରେୟାଂଶୀର ମୁହଁ ଫୁଲିଯିବା ସହିତ ଜିଭ ବାହାରକୁ ବାହାରି ଆସିଥିଲା । ତେଣୁ ତା’ର ବେକରେ କଣା କରି ତାକୁ ଖାଇବାକୁ ଦିଆଯାଉଛି । ଏପରି ଦୁଃଖ ଭଗବାନ ଆଉ କାହାକୁ ଦିଅନ୍ତୁ ନାହିଁ ବୋଲି କାନ୍ଦି କାନ୍ଦି କହିଛନ୍ତି ଶ୍ରେୟାଂସୀର ବାପା ସୋର ବ୍ଲକ ଜଡ଼ିଆ ପଞ୍ଚାୟତର ରୁଷ ଗାଁର ସହଦେବ ସାହୁ । ବହୁତ କଷ୍ଟ ହେଉଥିବାରୁ ଏବେ ଶିଶୁକନ୍ୟାଟି ଦିନରାତି ଖାଲି କାନ୍ଦୁଛି । ଛୁଆର ଏହି କଷ୍ଟକୁ ବାପା, ମାଆ ସହିପାରୁ ନାହାନ୍ତି । ତେଣୁ ନିଜ ଛୁଆକୁ ଭଲ କରିବା ପାଇଁ ସହାୟତାର ହାତ ବଢ଼ାଇବାକୁ ଜନସାଧାରଣଙ୍କୁ ଆକୁଳ ନିବେଦନ କରିଛନ୍ତି ବାପା, ମାଆ ।

Get real time updates directly on you device, subscribe now.