fbpx

OSEPA ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା: ୯୬ ହଜାର ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ଟ୍ୟାବ୍, ଉପକୃତ ହେବେ ୪୧ ହଜାର ସ୍କୁଲ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାକୁ ଆଗକୁ ନେବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ମେଧାବୀ ଛାତ୍ରଙ୍କୁ ମାଗଣାରେ ଲାପଟପ ବଣ୍ଟନ କରାଯିବା ସହିତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମଧ୍ୟାହ୍ନଭୋଜନ, ଡ୍ରେସ, ବହି ଖାତା ଆଦି ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ପୁଣି ଏକ ଅଭିନବ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ମୁତାବକ, ପ୍ରାଥମିକ ଶିକ୍ଷାକୁ ଡିଜିଟାଲାଇଜେସନ କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଅନଲାଇନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ପାଇଁ ୯୬,୭୧୮ ଜଣ ଶିକ୍ଷକଙ୍କୁ ଟ୍ୟାବ୍ ପ୍ରଦାନ କରାଯିବ । ଏହାଦ୍ୱାରା ୪୧,୪୪୭ଟି ସ୍କୁଲ ଉପକୃତ ହେବେ । ଏନେଇ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଟ୍ୟାବ ଶିକ୍ଷକଙ୍କୁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଯଥେଷ୍ଟ ସହାୟତା ପ୍ରଦାନ କରିବ । ଏହି ଟ୍ୟାବ ଜରିଆରେ ଶିକ୍ଷକମାନେ ପିଲାମାନେ ସହଜରେ ବୁଝିପାରିବା ଭଳି ବିଷୟବସ୍ତୁର ଅଡିଓ-ଭିଡିଓ, ପାୱାର ପଏଣ୍ଟ ରିପ୍ରେଜେଣ୍ଟେସନ, ପିଡିଏଫ ତିଆରି କରିପାରିବେ ।

ସେହିପରି ଛାତ୍ରଛାତ୍ରୀଙ୍କ ନାମଲେଖା ଅନଲାଇନରେ କରାଯାଉଥିବା ବେଳେ ଏହି ଟ୍ୟାବ ମଧ୍ୟ ଶିକ୍ଷକଙ୍କୁ ସେ କ୍ଷେତ୍ରରେ ସହାୟତା ପ୍ରଦାନ କରିବ । ଏହାସହ ଅନଲାଇନ୍ ମିଟିଂ, ଉପସ୍ଥାନ ଆଦି କାର୍ଯ୍ୟ ମଧ୍ୟ ସହଜରେ କରିବେ । ତେବେ ଶିକ୍ଷକମାନେ ନିଜର ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରିପାରିବେ ନାହିଁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୟୁଟ୍ୟୁବ ଚାନେଲ, ‘ଦୀକ୍ଷା, ‘ମଧୁ’, ନିଷ୍ଠା ମଡ୍ୟୁଲ, ଇ-ପାଠଶାଳା ଆଦିରେ ରହିଥିବା ପାଠ୍ୟ ବିଷୟବସ୍ତୁକୁ ଏହି ଟ୍ୟାବ ଜରିଆରେ ପିଲାଙ୍କୁ ପ୍ରଦର୍ଶିତ କରାଯିବ । ମୟୁରଭଞ୍ଜ ଜିଲ୍ଲାକୁ ସର୍ବାଧିକ ୭,୫୫୪ଟି ଟ୍ୟାବ ପ୍ରଦାନ କରାଯିବାକୁ ଥିବାବେଳେ ଜିଲ୍ଲା ଓ ବ୍ଲକର ସ୍କୁଲ, ଶିକ୍ଷକଙ୍କ ତାଲିକା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ପ୍ରଦାନ କରାଯାଇଛି । ଏହି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଡିଇଓଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

Get real time updates directly on you device, subscribe now.