fbpx

ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକରୁ ଅଂଶଧନ ପ୍ରତ୍ୟାହାର କରିବେ କେନ୍ଦ୍ର ସରକାର, ଜାଣନ୍ତୁ କେତେ ପ୍ରତିଶତ ହ୍ରାସ ପାଇବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଗତ ୧୬ ଓ ୧୭ ତାରିଖ ଦୁଇଦିନ ଧରି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିଥିଲେ । ତେବେ ଇତିମଧ୍ୟରେ ଏକ ରିପୋର୍ଟ ସାମନାକୁ ଆସିଛି । ସରକାରୀ ବ୍ୟାଙ୍କଗୁଡ଼ିକରୁ କେନ୍ଦ୍ର ସରକାର ଅଂଶଧନ ପ୍ରତ୍ୟାହାର କରିବାକୁ ବିଚାର କରୁଥିବା ଜଣାପଡ଼ିଛି । ଯଦି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳେ, ତେବେ ସରକାରୀ ବ୍ୟାଙ୍କରେ ଅଂଶଧନ ୫୧ ପ୍ରତିଶତରୁ ୨୬ ପ୍ରତିଶତକୁ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ସରକାରଙ୍କ ଦ୍ୱାରା ପରିଚାଳିତ ବ୍ୟାଙ୍କଗୁଡ଼ିକରୁ ସରକାରୀ ପୁଞ୍ଜିକୁ ହ୍ରାସ କରିବା ନେଇ ଲଗାତର ଦାବି ହୋଇଆସୁଛି । ଏହାଫଳରେ ୧୯୬୯ରେ ଦେଶରେ ଲାଗୁ ହୋଇଥିବା ବ୍ୟାଙ୍କର ଜାତୀୟକରଣ ନୀତିର ବିରୋଧ ସ୍ୱରୂପ ବ୍ୟାଙ୍କର ଘରୋଇକରଣକୁ ବୃଦ୍ଧି କରାଇବ । ବର୍ତ୍ତମାନ ଏହି ବିଷୟରେ ତର୍ଜମା କରାଯାଉଥିବା ଜଣାପଡ଼ିଛି । ଏହି ପ୍ରସ୍ତାବକୁ ପୁଙ୍ଖାନୁପୁଙ୍ଖ ଭାବେ ବିଚାରବିମର୍ଶ ଓ ସଂସଦରେ ସମୀକ୍ଷା କରାଯିବା ପରେ କ୍ୟାବିନେଟ ମଞ୍ଜୁରୀ ମିଳିପାରେ । ତେବେ ଏହି ପ୍ରସ୍ତାବ ଉପରେ ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇନାହିଁ । ବର୍ତ୍ତମାନ ବ୍ୟାଙ୍କର ଘରୋଇକରଣ ନୀତିକୁ ନେଇ ସରକାରଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି । ସରକାର ପୂର୍ବରୁ ଏୟାର ଇଣ୍ଡିଆରୁ ଅଂଶଧନ ପ୍ରତ୍ୟାହାର କରି ଏକ ବଡ଼ ନିଷ୍ପତ୍ତି ନେଇସାରିଛନ୍ତି ।

Get real time updates directly on you device, subscribe now.