fbpx

ଓଡ଼ିଶାରେ ବଢ଼ିଲା ଓମିକ୍ରନ୍ ଚିନ୍ତା; କଟକରେ ୨ ବିଦେଶୀ ଫେରନ୍ତା ପଜିଟିଭ ଚିହ୍ନଟ, ତୃତୀୟ ଲହର ନେଇ …

କଟକ(ଓଡ଼ିଶା ଭାସ୍କର): ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ୟୁପିର ଗାଜିଆବାଦରୁ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ଏହାର ସଂଖ୍ୟା ୧୧୩ କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ଓଡ଼ିଶାରେ ଘାରିଛି ଓମିକ୍ରନ ଚିନ୍ତା । କଟକରେ ୨ ବିଦେଶ ଫେରନ୍ତା କରୋନା ଆକ୍ରାନ୍ତଙ୍କୁ ନେଇ ବଢ଼ିଛି ଚିନ୍ତା । ଉଭୟ ବ୍ୟକ୍ତି ନାଇଜେରିଆରୁ ଫେରିଛନ୍ତି ବୋଲି ଜଣାପଡିଛି । ସେମାନଙ୍କର ନମୂନାକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା ବୋଲି ଜିଲ୍ଲା ପ୍ରଶାସନ କହିଛି । ୨ ନାଇଜେରିଆ ଫେରନ୍ତାଙ୍କଠାରୁ ଆଉ ୫ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ, ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଏହା ସହ ସେ କହିଛନ୍ତି ଯେ, ‘ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହରର ସମ୍ଭାବନା ଅଧିକ ବଢ଼ୁଛି । କୋଭିଡ ନିୟମ ଅନୁଯାୟୀ ବିଦେଶଗତଙ୍କର ସର୍ଭେଲାନ୍ସ ଚାଲିଛି । ଦ୍ୱିତୀୟ ଲହରରେ ଯେଉଁ ଚିକିତ୍ସା ଥିଲା, ଏବେ ବି ତାହା ରହିଛି । ଓମିକ୍ରନ ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାକୁ ସମ୍ଭାଳିବା ଲାଗି ଆମର କ୍ଷମତା ରହିଛି । ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଭିତ୍ତିଭୂମି ବଢ଼ାଯିବ ।’

ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ, ଜରୁରି ଔଷଧ ମହଜୁଦ ରହିଛି । ଆମେ ସତର୍କତା ବଢାଇଛୁ, ଓମିକ୍ରନ ଚିହ୍ନଟ ପାଇଁ ଜିନମ ସିକ୍ୱେନ୍ସିଂ ଆବଶ୍ୟକ । ତେଣୁ ସିକ୍ୱେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢାଇବାକୁ କୁହାଯାଇଛି । ଏବେ ସୁଦ୍ଧା ରାଜ୍ୟକୁ ଆଟ ରିସ୍କ ଦେଶରୁ ୧୫୦୦ରୁ ଅଧିକ ଲୋକ ଆସିଲେଣି । ତଥ୍ୟ କହୁଛି ଓମିକ୍ରନର ଲକ୍ଷଣ ପୂର୍ବ ଭଳି ପ୍ରାୟ ସମାନ ବୋଲି ନିରଞ୍ଜନ କହିଛନ୍ତି ।

Get real time updates directly on you device, subscribe now.