fbpx

ଆସନ୍ତା ବର୍ଷ ମାଲାମାଲ୍‌ ହେବ ବିସିସିଆଇ, ଭାରତରେ ଆୟୋଜନ ହୋଇପାରେ ଆଇପିଏଲ୍

ନୂଆଦିଲ୍ଲୀ: ବିଶ୍ୱ ପୃଷ୍ଠରୁ କରୋନା ମହାମାରୀ ଆତଙ୍କ କେବେ ହଟିବ ,ତାହା କହିବା କିମ୍ବା ପୂର୍ବାନୁମାନ କରିବା କଷ୍ଟକର । କାରଣ କରୋନାର ଲହର ପରେ ଲହର ମାଡି ଆସୁଛି । ତେଣୁ କରୋନା ନିକଟରେ ବିଶ୍ୱର ସମସ୍ତ ଶକ୍ତିଶାଳୀ ରାଷ୍ଟ୍ର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି । ପରିସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବା ବେଳେ ପୁଣି ନୂଆ ପ୍ରଜାତିର କରୋନା ଭୂତାଣୁ ଆତଙ୍କ ଖେଳାଇ ଦେଉଛି । ଏହା ସହିତ କ୍ରୀଡା ଦୁନିଆ ମଧ୍ୟ ହନ୍ତସନ୍ତ ହୋଇ ପଡିଛି । ମାତ୍ର ଏହି ସବୁ ପରିସ୍ଥିତି ଭିତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିଜର ବେପାରକୁ କିପରି ଆଗେଇ ନେବ ସେହି ଯୋଜନାରେ ବ୍ୟସ୍ତ । ଚଳିତ ବର୍ଷ କରୋନା ଯୋଗୁ ଭାରତରେ ଆଇପିଏଲ ଅନୁଷ୍ଠିତ ହୋଇ ପାରିଲାନି । ତେଣୁ ଏହା ୟୁନାଇଟେଡ ଆରବ ଏମିରେଟ୍ସକୁ ସ୍ଥାନନ୍ତର ହେଲା । ଆସନ୍ତା ବର୍ଷ ଭାରତରେ ଆଇପିଏଲ ଆୟୋଜିତ ହୋଇ ପାରିବ କି ନାହିଁ ତାହା ଅନୁମାନ କରିବା ମୁସ୍କିଲ । ତଥାପି ବିସିସିଆଇ ୨୦୨୨ ଆଇପିଏଲକୁ ଭାରତରେ ଆୟୋଜନ କରି ପାରିବ ବୋଲି ବିଶ୍ୱାସ ରଖିଛି । ତେବେ କୌଣସି ସମସ୍ୟା ହେଲେ ପୁଣି ବିକଳ୍ପ ଚିନ୍ତା କରିବାକୁ ପଡିବ ।

ସବୁଠାରୁ ଚର୍ଚ୍ଚାର ବିଷୟ ହେଲା ଯେ ଆଇପିଏଲର ଫ୍ରାଞ୍ଚାଇଜ ସଂଖ୍ୟା ବଢ଼ାଇଛି ବିସିସିଆଇ ।  ତେଣୁ ୨୦୨୨ ସଂସ୍କରଣରେ ଭାଗ ନେବେ ୧୦ ଫାଞ୍ଚାଇଜ । ପୂର୍ବରୁ ୮ ଦଳକୁ ନେଇ ଆଇପିଏଲ ଅନୁଷ୍ଠିତ ହେଉଥିଲା । ମାତ୍ର ଆସନ୍ତା ବର୍ଷ ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇବ । ତେଣୁ ବିସିସିଆଇ ପ୍ରାୟ ୫୦ହଜାର କୋଟି ପାଖାପାଖି ଟଙ୍କା ରୋଜଗାର କରି ପାରିବ ବୋଲି ଆକଳନ କରାଯାଉଛି । ଯେଉଁ ଦୁଇ ନୂଆ ଦଳ ଲକ୍ଷ୍ନୌ ଓ ଅହମଦାବାଦ ସାମିଲ ହେବେ ସେମାନେ ଖେଳାଳି ନିଲାମ ପୂର୍ବରୁ ଆଗୁଆ ବିସିସିଆଇକୁ ୧୨,୭୨୫ କୋଟି ଟଙ୍କା ଦେଇ ସାରିଲେଣି । ସେହିରି ମିଡିଆ ରାଇଟ୍ସ ବାବଦରୁ ଆହୁରି ୪୯ ହଜାର କୋଟି ଟଙ୍କା ଆୟ ହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ବର୍ତ୍ତମାନ ଆଇପିଏଲ ମିଡିଆ ରାଇଟ ବାବଦରେ ବିସିସିଆଇ ବର୍ଷକୁ ୧୬,୩୪୭ କୋଟି ଟଙ୍କା ରୋଜଗାର କରୁଛି । ସେହିପରି ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଆଇପିଏଲ ମିଡିଆ ରାଇଟ ପାଇଁ ନୂଆ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ତେବେ ଆସନ୍ତା ବର୍ଷ ମିଡିଆ ରାଇଟ ବାବଦରେ ବିସିସିଆଇ ଆହୁରି ତିନି ଗୁଣା ଅଧିକ ରାଜସ୍ୱ ପାଇବା ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.