fbpx

ନର୍ସଙ୍କୁ ବ୍ଲାକ୍‌ମେଲ୍‌ କରି ଫଶିଲେ ପୂର୍ବତନ ପ୍ରେମିକ, ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ଗିରଫ ହେଲେ ‘ହାପି’

କୋରାପୁଟ, (ଭାସ୍କର ନ୍ୟୁଜ୍‌): କୋରାପୁଟ ଟାଉନ ଥାନା ଅଞ୍ଚଳରେ କାର୍ଯ୍ୟରତ ଜଣେ ନର୍ସଙ୍କ ଫଟୋ ଭାଇରାଲ କରିବା ସହ ବ୍ଲାକମେଲ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମର ସୁନିଲ ସେନାପତି ଓରଫ ହାପି (୨୫)। ହାପି ଏହି ନର୍ସଙ୍କ ପୂର୍ବତନ ପୁରୁଷ ବନ୍ଧୁ ଥିଲେ ବୋଲି ମଧ୍ୟ ସୂଚନା ମିଳିଛି। କୋରାପୁଟ ଟାଉନ ଥାନା ପୋଲିସ ଅଭିଯୁକ୍ତ ହାପିକୁ ଗିରଫ କରିବା ସହ ତା ଠାରୁ ୨ଟି ସ୍ମାର୍ଟଫୋନ, ଗୋଟିଏ କିପ୍ୟାଡ ଫୋନ ସହ ୧୪ଟି ସିମ୍‌ ଜବତ କରିଥିବା କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏସଡିପିଓ ଶ୍ରୀ ପୁଜାରୀଙ୍କ ସୂଚନା ଅନୁଯାଇ, ପୂର୍ବରୁ ଏହି ନର୍ସଙ୍କ ଜଣେ ଯୁବକ ସହିତ ବନ୍ଧୁତା ଥିଲା । ବନ୍ଧୁତା ସମୟରେ ଯୁବକ ଜଣକ କୌଶଳ କ୍ରମେ ତାଙ୍କ ମୋବାଇଲ ନମ୍ବର ଓ ଇମେଲ ଆଇଡି ପାସୱାର୍ଡ ନେଇ ଯାଇଥିଲେ । ପରେ ନର୍ସଙ୍କ ଇମେଲ ଆଇଡିକୁ ଅପବ୍ୟବହାର କରି ବିଭିନ୍ନ ଲୋକଙ୍କୁ ବିଶେଷ କରି ନର୍ସଙ୍କ ସାଙ୍ଗସାଥୀ ଓ ସମ୍ପର୍କୀୟମାନଙ୍କୁ ନର୍ସଙ୍କ ନାଁରେ ବିଭିନ୍ନ ଅଶ୍ଳୀଳ ମେସେଜ ପଠାଇ ଆସୁଥିଲେ । ଏପିରିକି ନର୍ସଙ୍କ ସମ୍ପର୍କୀୟ ଓ ସାଙ୍ଗମାନଙ୍କୁ ଧମକ ଦେଇ ଆସୁଥିଲେ। ନିଜ ପାଖରେ ଥିବା ଅଶ୍ଳୀଳ ଫଟୋ ଭାଇରାଲ କରି ଦେବି କହି ହାପି ଫୋନ ଓ ମେସେଜ ମାଧ୍ୟମରେ ନର୍ସଙ୍କ ଧମକ ଦେଉଥିଲେ । ଏନେଇ ନର୍ସ ଜଣକ ଚଳିତ ମାସ ୮ ତାରିଖ ଦିନ କୋରାପୁଟ ଟାଉନ ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତି କରି କୋରାପୁଟ ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଟିମ୍‌ ଗତ ୧୭ ତାରିଖ ଦିନ ଜଗତସିଂହପୁର ଜିଲ୍ଲା ଯାଇ ଏରସମା ଥାନା ପୋଲିସ ସହାୟତାରେ ଅଭିଯୁକ୍ତ ହାପିକୁ ଗିରଫ କରାଯାଇଥିଲା ।

ସୂଚନାଯୋଗ୍ୟ, ହାପି ଏରସମା ଥାନା ଅଚଂଳର ମୋବାଇଲ ଓ ସିମ୍‌ କାର୍ଡ ବ୍ୟବସାୟ କରି ଆସୁଥିଲେ । ଏହି ସମୟରେ ଯୁବତୀ ଜଣଙ୍କ ହାପି ସହିତ କାମ କରି ଆସୁଥିବା ବେଳେ ବନ୍ଧୁତା ହୋଇଥିଲା । ତେବେ ଯୁବତୀ ଜଣଙ୍କ ଗତ ୪ମାସ ତଳେ କୋରାପୁଟ ଜିଲ୍ଲାରେ ନର୍ସ ଭାବେ ନିଯୁକ୍ତି ପାଇବା ପରେ ଏହାକୁ ସହ୍ୟ କରି ପାରି ନଥିଲେ ହାପି । ପରେ ନର୍ସଙ୍କୁ ଅଶ୍ଳୀଳ ମେସେଜ ଦେବା ସହତି ତାଙ୍କ ସାଙ୍ଗଙ୍କ ଓ ସମ୍ପର୍କୀୟମାନଙ୍କୁ ମଧ୍ୟ ମୋବାଇଲରେ ମେସେଜ କରିଥିଲେ । ଏହି ସମସ୍ତ ଘଟଣାକୁ ନେଇ ହାପି ବ୍ୟବହାର କରୁଥିବା ୩ଟି ମୋବାଇଲକୁ ପୋଲିସ ଜବତ କରିଛି । ଏଥିସହ ଅଭିଯୁକ୍ତ ଠାରୁ ପୋଲିସ, ୧୪ ଟି ସିମ୍‌ ଜବତ କରିଥିବା ଆଇଆଇସି ଧୀରେନ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.