ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ ବିବାଦ କେବେ ଘଟିବ ଅନ୍ତ: ରାତାରାତି କାହାଣୀର ହିରୋ ପାଲଟିଗଲା ଭିଲିଆନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି । ଏହି ମାମଲାରେ ସୁମିତ କି ତପସ୍ୱିନୀ କିଏ ଠିକ୍ କରିଛି, କିଏ ଭୁଲ କରିଛି ସେଇଟା ଅଲଗା କଥା । ମାତ୍ର ଯେଭଳି ଭାବେ ଏହି ଘଟଣାଟି ପଟ ପରିବର୍ତ୍ତନ କରୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ସ୍ୱାଭାବିକ । ପୂର୍ବରୁ ଏହି ମାମଲାରେ ତପସ୍ୱିନୀଙ୍କ ନ୍ୟାୟଭିକ୍ଷା, ଶୀତ କାକରରେ ଧାରଣା କଷ୍ଟ ଦେଖି ଯେ କେହି ବି ସମବେଦନା ଜ୍ଞାପନ କରୁଥିଲା । ଏପରିକି ତପସ୍ୱିନୀଙ୍କ ପାଇଁ ସୋସିଆଲ୍ ମିଡ଼ିଆରେ ଅନେକ ଲୋକ ସମର୍ଥନ ଜଣାଇ ଆଗକୁ ଆସିବା ସହ ବ୍ରହ୍ମପୁର ଅଞ୍ଚଳର କିଛି ସ୍ଥାନୀୟ ରାଜନେତା ମଧ୍ୟ ନ୍ୟାୟ ଭିକ୍ଷା କରିଥିଲେ ।

ଗତ ୧୭ ତାରିଖରୁ ତପସ୍ୱିନୀ ନିଜ ଶ୍ୱଶୁର ଘର ଆଗରେ ଦ୍ୱିତୀୟ ଥର ପାଇଁ ଧାରଣାରେ ବସିଥିଲେ । ଗତ ୨୦ ତାରିଖରେ ଏସଡିଜେଏମ୍ କୋର୍ଟ ପୂର୍ବ ରାୟ କାଏମ୍ ରଖିବା ସହ ସୁମିତଙ୍କୁ ଭଡ଼ାଘର ଖୋଜି ତପସ୍ୱିନୀଙ୍କୁ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସେଦିନ କିଛି ମହିଳା ତପସ୍ୱିନୀଙ୍କୁ ସମର୍ଥନ କରି ସୁମିତଙ୍କ ଘରର ମେନ୍ ଗେଟ୍ ଭାଙ୍ଗି ଭିତରକୁ ଧସେଇ ପଶିଥିଲେ । ଏହା ହୋଇପାରେ ଜଣେ ନାରୀଙ୍କୁ ନ୍ୟାୟ ନ ମିଳିବାର ଏକ ପ୍ରତିଫଳନ । ମାତ୍ର ଏହି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଜାହିର କରାଯାଇଥିଲା । ଏହାପରେ ପ୍ରମୋଦ ଏନେଇ ପୋଲିସରେ ଅଭିଯୋଗ କରିବା ସହ ସୁମିତଙ୍କ ଜେଜେମାଆ ଭିଡିଓ ମାଧ୍ୟମରେ ତାଙ୍କ ପରିବାର ଅସୁରକ୍ଷିତ ଥିବା କହିବା ସହ ଜିଲ୍ଲାପାଳ, ଏସପିଙ୍କଠାରୁ ସୁରକ୍ଷା ଲୋଡ଼ିଥିଲେ । ଏହାପରେ ପରଦିନ ଅର୍ଥାତ ଗତକାଲି ପୋଲିସ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲା । କିଏ ନ୍ୟାୟ ପାଇବ, ନ ପାଇବ ସେଇଟା ଅଲଗା କଥା, ସେଥିପାଇଁ କୋର୍ଟ କଚେରୀ ଓ ପୋଲିସ ପ୍ରଶାସନ ରହିଛି । ମାତ୍ର ଯେଭଳି ଭାବେ ମହିଳାମାନେ ପ୍ରମୋଦଙ୍କ ଘର ମଧ୍ୟକୁ ଗେଟ ଭାଙ୍ଗି ପଶିଲେ ତାହାଦ୍ୱାରା ରାତାରାତି ତପସ୍ୱିନୀ ଏକ ପ୍ରକାର ଖଳନାୟକର ପକ୍ଷ ଆଡ଼କୁ ଟାଣି ହୋଇଯାଇଛନ୍ତି । ଅପରପକ୍ଷେ ସୁମିତଙ୍କ ପରିବାର କିଛି ସହାନୁଭୂତି ସାଉଁଟିବାରେ ସକ୍ଷମ ହୋଇଛନ୍ତି ।