ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାଜ୍ୟରୁ ନୂଆ ଭାରିଆଣ୍ଟ ଓମିକ୍ରନର ଦୁଇଟି ମାମଲା ଚିହ୍ନଟ ହେବା ପରେ ଏକ ପ୍ରକାର ଆଶଙ୍କା ବଢ଼ିଯାଇଛି । ତେଣୁ ରାଜଧାନୀ ଭୁବନେଶ୍ୱରରେ ସରକାର କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଭିଏସଏସ ନଗରର ୧୧ ନମ୍ବର ୱାର୍ଡ ଓ ବମିଖାଲର ଜୟଦୁର୍ଗା ନଗରରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ୧୪ ଦିନ ପାଇଁ ଉକ୍ତ ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବିଦେଶ ଫେରନ୍ତା ୭ ଜଣଙ୍କ ନମୂନା ଜିନମ ସ୍ୱିକେନ୍ସି ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ନମୂନା ନେଗେଟିଭ୍ ଆସିଥିଲା ଓ ୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ଆଜି ସେମାନଙ୍କ ମଧ୍ୟରୁ ୨ ଜଣ ଓମିକ୍ରନ ପଜିଟିଭ୍ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟରୁ ଦୁଇଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନାଇଜେରିଆରୁ ଓ ଆଉ ଜଣେ କାତାରରୁ ଆସିଥିଲେ । ସଂକ୍ରମିତ ଦୁଇଜଣ ବ୍ୟକ୍ତି କଟକ ଓ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡ଼ିଥିଲା । ୨ ଜଣଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ନେଇ ଇନଷ୍ଟଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲଏସ) ପକ୍ଷରୁ ସୂଚନା ଦିଆଯାଇଥିଲା । ଉଭୟଙ୍କର ମଧ୍ୟରୁ ଜଣଙ୍କ ଠାରେ କିଛି ଲକ୍ଷଣ ନଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି । ଏଥିସହ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ୨୧ ଜଣ କଣ୍ଟାକ୍ଟ ଚିହ୍ନଟ କରି ଟେଷ୍ଟିଂ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ । ଗତକାଲି ଭୁବନେଶ୍ୱରର ବମିଖୋଲ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ମୁଖ ଶାସନ ସଚିବ ଡକାଇଥିବା ଉଚ୍ଚସ୍ତରୀୟ ବୈଠକରେ କଟକଣା ଉପରେ ସେପରି କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ।