fbpx

କ୍ରିମିନାଲ ରେକର୍ଡଧାରୀ ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହେଲେ ରାଜନୈତିକ ଦଳ ସମସ୍ତ ତଥ୍ୟ ଗଣମାଧ୍ୟମରେ ପ୍ରକାଶ କରିବ: CEC

ନୂଆଦିଲ୍ଲୀ: ନିର୍ବାଚନରେ ଅଂଶଗ୍ରହଣ କରୁଥିବା ଅପରାଧିକ ଶ୍ରେଣୀର ବ୍ୟକ୍ତିମାନେ ଆଉ ଖସି ପାରିବେନି ନାହିଁ । କ୍ରିମିନାଲ ଶ୍ରେଣୀର ଯଦି କୌଣସି ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହୁଏ, ତେବେ ଏନେଇ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ରାଜନୈକ ଦଳ ପକ୍ଷରୁ ସମ୍ବାଦପତ୍ର, ଟେଲିଭିଜନ ଓ ୱେବସାଇଟ ମାଧ୍ୟମରେ ମତଦାତାଙ୍କୁ ଏନେଇ ଅବଗତ କରାଇବାକୁ ପଡ଼ିବ । ଏନେଇ ଦେଶର ମୁଖ୍ୟ ନିର୍ବାଚନ କମିଶନ (ସିଇସି) ସୁଶୀଲ ଚନ୍ଦ୍ରା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ପ୍ରାରମ୍ଭରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଏହି ଅବସରରେ ନିର୍ବାଚନ କମିଶନଙ୍କ ତରଫରୁ ବିଭିନ୍ନ ରାଜ୍ୟରେ ନିର୍ବାଚନୀ ସମୀକ୍ଷା କରାଯାଉଛି । ଏନେଇ ସିଇସି ଶ୍ରୀ ଚନ୍ଦ୍ରା ଓ କମିଶନର ରାଜୀବ କୁମାର, ଅନୁପ ଚନ୍ଦ୍ର ଦୁଇ ଦିନିଆ ଗୋଆ ଗସ୍ତରେ ଯାଇଛନ୍ତି । ସିଇସି ଶ୍ରୀ ଚନ୍ଦ୍ରା କହିଛନ୍ତି ଯେ, ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ତଥ୍ୟ ମତଦାତାଙ୍କୁ ଜଣାଇବା ନିହାତି ଜରୁରୀ । ଏନେଇ ପାର୍ଟିମାନଙ୍କ ତରଫରୁ ବିଭିନ୍ନ ଗଣମାଧ୍ୟମରେ ସମସ୍ତ ବିବରଣୀ ପ୍ରଦାନ କରିବାକୁ ପଡ଼ିବ । ଏଥିସହ ମତଦାତାମାନେ ଜଣେ ସ୍ୱଚ୍ଛ ଚେହେରା ବ୍ୟକ୍ତି ଅପେକ୍ଷା ଅପରାଧିକ ରେକର୍ଡ ଥିବା ବ୍ୟକ୍ତିକୁ କାହିଁକି ନେତା ଭାବେ ବାଛିବେ, ତାହା ସ୍ପଷ୍ଟ କରିବାକୁ ପଡ଼ିବ । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକର ସୀମାନ୍ତ ଅଞ୍ଚଳରେ ଦୃଷ୍ଟି ରଖାଯିବ । ଏଥିସହ ଯଦି କୌଣସି ଟ୍ରାଞ୍ଜାକସନ ସନ୍ଦେହ ଘେରକୁ ଆସେ ସଙ୍ଗେସଙ୍ଗେ ଜଣାଇବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.