fbpx

୫ ଦିନର ଶିଶୁକନ୍ୟା ନିଖୋଜ: ବିକ୍ରି ନା ଚୋରି ସେ ନେଇ ଚାଲିଛି ତନାଘନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଜଣେ ମହିଳାଙ୍କର ୫ ଦିନର ଶିଶୁକନ୍ୟା ନିଖୋଜ ହୋଇଯାଇଛି । ଏହି ଖବର ବର୍ତ୍ତମାନ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତନାଘନା ଆରମ୍ଭ କରିଦେଇଛି । ତେବେ ଉକ୍ତ ଶିଶୁକନ୍ୟାକୁ କେହି ଚୋରି କରିନେଇଥିବା ସ୍ଥାନୀୟ ଅଞ୍ଚଳର କିଛି ଲୋକ କହୁଥିବା ବେଳେ ଆଉ କିଛି ତାକୁ ମାରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି । ତଦନ୍ତ ପରେ ଏହା ଉପରୁ ପରଦା ହଟିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଜଣାପଡ଼ିଛି ଯେ, ଟାଉନ ଥାନା ଅଞ୍ଚଳର ଜଣେ ମହିଳା ପର ଘରେ ବାସନ ମାଜି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ନିକଟରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ମାତ୍ର ୩ ଦିନ ପରେ ହଠାତ୍ ଶିଶୁକନ୍ୟାଟି ଗାଏବ୍ ହୋଇଯାଇଥିଲା । ଏହାପରେ ପ୍ରସୂତି ମହିଳା ଜଣଙ୍କ ଖୋଜାଖୋଜି କରି ନ ପାଇବାରୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏନେଇ ପୋଲିସ ମହିଳାଙ୍କ ପରିବାର ଲୋକ ଓ ପାଖ ପଡ଼ୋଶୀଙ୍କୁ ପଚରାଉଚରା କରିଛି । ତେବେ ମହିଳାଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସେ ଶିଶୁକନ୍ୟାକୁ ବିକ୍ରି କରିଦେଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଶିଶୁକନ୍ୟାକୁ କିଏ ନେଇଛନ୍ତି ତାହା ଜଣାପଡ଼ିବା ପରେ ବିକ୍ରି କରାଯାଇଛି ନା ଚୋରି ହୋଇଛି ତାହା ସ୍ପଷ୍ଟ ହୋଇଯିବ ।

ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ଶିଶୁ ନିଖୋଜ ଏକ ନୂଆ ଘଟଣା ନୁହେଁ । ୪ ବର୍ଷ ପୂର୍ବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଦମ୍ପତିଙ୍କର ନବଜାତ ଶିଶୁପୁତ୍ର ଚୋରି ହେବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଗତବର୍ଷ ରେଢ଼ାଖୋଲର ଏକ ଦମ୍ପତି ଟଙ୍କା ପାଇଁ ନିଜର ଶିଶୁପୁତ୍ରକୁ ଅନ୍ୟ ହାତକୁ ଟେକି ଦେଇଥିଲେ ।

Get real time updates directly on you device, subscribe now.