ନୂଆଦିଲ୍ଲୀ: ବିଗତ କିଛି ବର୍ଷ ଧରି ଦେଶର ସର୍ବପୂରାତନ ଦଳ କଂଗ୍ରେସ ଏକପ୍ରକାର ଦୁର୍ବଳ ସ୍ଥିତିରେ ରହିଛି । ତେବେ ଆସନ୍ତା ୨୦୨୨ରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ରେ ଲୋକସଭା ନିର୍ବାଚନ ଥିବାରୁ ଦଳ ପୁଣି ସକ୍ରିୟ ହୋଇଉଠିଛି । ଦଳ ଅଧ୍ୟକ୍ଷ ପଦରେ ଜଣେ ନୂଆ ନେତାଙ୍କୁ ବସାଇବାକୁ ସ୍ଥିର କରିଛି । ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଏହି ପ୍ରକ୍ରିୟା ସମାପ୍ତ ହେବ । କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଇସି) ଏହି ଅବଧି ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛି । ଏନେଇ ସୂଚନା ଦେଇଛନ୍ତି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ।
ଶ୍ରୀ ମିସ୍ତ୍ରୀ କହିଛନ୍ତି ଯେ, ଆସନ୍ତା ଅକ୍ଟୋବର ପହିଲାରେ କଂଗ୍ରେସ ତା’ର ନୂଆ ଅଧ୍ୟକ୍ଷ ପାଇବ । ବର୍ତ୍ତମାନ ଡିଜିଟାଲ ମୋଡ଼ରେ ଦଳର ସଦସ୍ୟ ସଂଗ୍ରହ ଅଭିଯାନ ଦ୍ରୁତଗତିରେ ଆନେଇ ଚାଲିଥିବା ବେଳେ ମାର୍ଚ୍ଚ ୩୧ ମଧ୍ୟରେ ଏହା ସରିଯିବ । ସଦସ୍ୟ ସଂଗ୍ରହ ଅଭିଯାନ ସମାପ୍ତ ହେବା ପରେ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ପରିଶେଷରେ ଅଧ୍ୟକ୍ଷ ନିର୍ବାଚନ କରାଯିବ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ଗତ ୨୦୧୯ ଲୋକସଭା ନିର୍ବାଚନର ଦଳର ଲଜ୍ଜାଜନକ ପରାଜୟ ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସୋନିଆ ଗାନ୍ଧି ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।