fbpx

ସରକାରୀ ସୁରକ୍ଷା ଉପରେ ନାହିଁ ବିଶ୍ଵାସ ! ଅଧିକାଂଶ ମନ୍ତ୍ରୀ ରଖିଛନ୍ତି ରାଇଫଲ-ପିସ୍ତଲ

ପାଟନା : ବିହାରରେ ବିପର୍ଯ୍ୟସ୍ତ ହୋଇ ପଡିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା। ଜନତା ନିଜର ସୁରକ୍ଷା ନିଜେ କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ସରକାରର ମନ୍ତ୍ରୀମାନଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ତଥାପି ଏହି ସବୁ ମନ୍ତ୍ରୀମାନଙ୍କୁ ସରକାରୀ ସୁରକ୍ଷା ଉପରେ ପୂର୍ଣ୍ଣ ବିଶ୍ଵାସ ନାହିଁ। ଏଥିପାଇଁ ସେମାନେ ନିଜ ସୁରକ୍ଷା ପାଇଁ ବନ୍ଦୋବସ୍ତ ମଧ୍ୟ କରିଛନ୍ତି। ୨୦୧୧ରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ପରମ୍ପରା ଆରମ୍ଭ କରିଥିଲେ। ପରମ୍ପରା ଏହା ଯେ ବର୍ଷର ଶେଷ ଦିନ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ନିଜ ସଂପତ୍ତିର ତଥ୍ୟ ସାର୍ବଜନୀନ କରିବାକୁ ପଡିବ। ଏହାରି ଆଧାରରେ ମନ୍ତ୍ରୀମାନେ ନିଜ ସଂପତ୍ତି ସାର୍ବଜନୀନ କରିଛନ୍ତି। ଏଥିରୁ ଜଣା ପଡିଛି ଯେ, ନୀତିଶ କୁମାରଙ୍କ ଅଧିକାଂଶ ମନ୍ତ୍ରୀଙ୍କ ପାଖରେ ବନ୍ଦୁକ, ପିସ୍ତଲ ଓ ରାଇଫଲ ରହିଛି। ଏହି ସବୁ ଅସ୍ତ୍ରକୁ ମନ୍ତ୍ରୀମାନେ ସଉକରେ ରଖିଛନ୍ତି।

ସଂପତ୍ତି ସାର୍ବଜନୀନ କରାଯିବା ପରେ ଏହାର ଖୁଲାସା ହୋଇଛି ଯେ, ସରକାରର ୩୧ ମନ୍ତ୍ରୀଙ୍କ ମଧ୍ୟରୁ ୧୬ ମନ୍ତ୍ରୀଙ୍କ ପାଖରେ ରାଇଫଲ, ବନ୍ଧୁକ ଏବଂ ପିସ୍ତଲ ରହିଛି। ସୂଚନା ଅନୁଯାୟୀ, ଖଣି ମନ୍ତ୍ରୀ ଜନକ ରାମଙ୍କ ପାଖରେ ୩୦.୦୬ ବୋରର ରାଇଫଲ ରହିଛି, ଯାହାର ମୂଲ୍ୟ ୧,୨୫,୦୦୦ ଟଙ୍କା। ସେହି ପରି ପଞ୍ଚାୟତି ରାଜ ମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପାଖରେ ମଧ୍ୟ ୪ ଲକ୍ଷ ଟଙ୍କାର ଏକ ରାଇଫଲ ରହିଛି। ନୀତିଶ କୁମାରଙ୍କ ସରକାରରେ ୩ ମହିଳା ମନ୍ତ୍ରୀ ରହିଛନ୍ତି। ଆଉ ସେମାନଙ୍କ ନିକଟରେ ହତିଆର ମଧ୍ୟ ରହିଛି। ଉପ ମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ପାଖରେ ଏକ ପିସ୍ତଲ ରହିଥିବା ବେଳେ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଲେସି ସିଂହଙ୍କ ନିକଟରେ ଗୋଟିଏ ରାଇଫଲ ଓ ଡବଲ ବ୍ୟାରେଲର ବନ୍ଧୁକ ରହିଛି।

Get real time updates directly on you device, subscribe now.