fbpx

(VIDEO) ଚିଲିକା ପକ୍ଷୀ ଗଣନାରେ ବ୍ୟବହାର ହେବ ଜିପିଏସ୍ ଓ ବାଇନାକୁଲାର: DFO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଆଜି ଶୀତକାଳୀନ ପକ୍ଷୀଗଣନା କରାଯିବ । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ । ପକ୍ଷୀଗଣନା କାର୍ଯ୍ୟ ପାଇଁ ଗତକାଲି ଗଣନାକାରୀଙ୍କୁ ବିଶେଷଜ୍ଞମାନେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ଙ୍କ ବାଲିଗାଁ-ଚନ୍ଦ୍ରାପୁଟସ୍ଥିତ ଆଦ୍ରଭୂମି ପରୀକ୍ଷଣ କେନ୍ଦ୍ର ପରିସରରେ ତାଲିମ୍ ଦେଇଥିଲେ । ଏଥିରେ ବମ୍ବେସ୍ଥିତ ନ୍ୟାଚୁରାଲ ହିଷ୍ଟ୍ରି ଅଫ୍ ସୋସାଇଟିର ନିର୍ଦ୍ଦେଶକ ଡାକ୍ତର ବିଭାଷ ପାଣ୍ଡବଙ୍କ ସମେତ ଅଭିଜ୍ଞ ବିଶାରଦମାନେ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ବାହିନୀ, ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଓ ଓୟୁଏଟିର ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ ।

ଗଣନା କାର୍ଯ୍ୟ ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯିବା ସହ ମୋଟ ୨୧ଟି ଟିମ୍ ଏଥିରେ ନିୟୋଜିତ ରହିବେ । ଟାଙ୍ଗୀ ଜୋନରେ ୮ଟି ଟିମ, ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି ଓ ରମ୍ଭା, କୃଷ୍ଣପ୍ରସାଦରେ ଅବଶିଷ୍ଟ ଟିମ୍ ନିୟୋଜିତ ରହିବେ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣନା କାର୍ଯ୍ୟ ପାଇଁ ଜିପିଏସ ଓ ବାଇନାକୁଲାର ବ୍ୟବହାର କରାଯିବ ବୋଲି ଚିଲିକା ଡିଏଫଓ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ଚିଲିକାକୁ ରେକର୍ଡ ସଂଖ୍ୟକ ୧୨ ଲକ୍ଷ ୪୨ ହଜାର ୮୨୬ ବିଦେଶୀ ପକ୍ଷୀ ଆସିଥିଲେ । ସେହିପରି ତା’ ପୂର୍ବବର୍ଷ ୧୧ ଲକ୍ଷ ୫ ହଜାର ୪୦ ପକ୍ଷୀ ଆସିଥିଲେ । ଗତ ଡିସେମ୍ବର ୧ ତାରିଖ ସୁଦ୍ଧା ଚିଲିକାକୁ ୪ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀଙ୍କର ଆଗମନ ହୋଇଥିଲା ।

Get real time updates directly on you device, subscribe now.