fbpx

ଦେଶରେ ଚିନ୍ତା ବଢ଼ାଇଲା କରୋନା: ଆଜି ୫୮ ହଜାର ପଜିଟିଭ୍, ୫୩୪ ମୃତ, ୨୧୩୫ ଓମିକ୍ରନ୍

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ଏହାର ପ୍ରଭାବରେ ଆସନ୍ତା ଫେବୃଆରୀ ମାସରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ୩ ତାରିଖଠାରୁ ସମଗ୍ର ଦେଶରେ ୧୫ରୁ ୧୮ ବର୍ଷୀୟ ପିଲାଙ୍କର ଟିକାକରଣ ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ପ୍ରାୟ ୧୬ ଲକ୍ଷରୁ ଅଧିକ ପିଲା ଟିକା ନେଇଥିଲେ ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ଫଳରେ ଦେଶରେ ମୋଟ ମୃତୁସଂଖ୍ୟା ୪ ଲକ୍ଷ ୮୨ ହଜାର ୫୫୧କୁ ବୃଦ୍ଧି ପାଇଛି । ୫୮ ହଜାର ୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୦ ଲକ୍ଷ ୧୮ ହଜାର ୩୫୮ରେ ପହଞ୍ଚିଛି । ୨୪ ଘଣ୍ଟାରେ ୧୫ ହଜାର ୩୮୯ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୪୩ ଲକ୍ଷ ୨୧ ହଜାର ୮୦୩ରେ ପହଞ୍ଚିଛି । ୨ ଲକ୍ଷ ୧୪ ହଜାର ୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୪୭ କୋଟି ୭୨ ଲକ୍ଷ ୮ ହଜାର ୮୪୬ ଜଣ ଲୋକଙ୍କୁ ଟିକାକରଣ କରାଯାଇଛି ।

ସେହିପରି ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧୩୫ରେ ପହଞ୍ଚିଛି । ମହାରାଷ୍ଟ୍ରରୁ ସର୍ବାଧିକ ୬୫୩ ଓ ଦିଲ୍ଲୀରୁ ୪୬୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୮୨୮ ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.