fbpx

‘ଏବେ ଯେତେ ଡେଇଁବା କଥା ଡିଅଁ’, ବାକି ଅଛି ଆଉ ଗୋଟିଏ ମ୍ୟାଚ୍’, ପରାଜୟ ପୂର୍ବରୁ ଦ.ଆଫ୍ରିକାକୁ ଚେତାବନୀ ଦେଲେ ବୁମରା

ଜୋହାନ୍ସବର୍ଗ : ଭାରତୀୟ ଦଳ ଜୋହାନ୍ସବର୍ଗରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ୭ ଓ୍ଵିକେଟ୍ରେ ପରାଜିତ ହୋଇଛି। ଏହି ସିରିଜ୍ର ଦ୍ଵିତୀୟ ଟେଷ୍ଟରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି। ଜୋହାନ୍ସବର୍ଗରେ ଯେତେବେଳେ ଦକ୍ଷିଣ ଆଫ୍ରିକା ଦଳ ବିଜୟର ଦ୍ଵାର ଦେଶରେ ପହଞ୍ଚିଥିଲା, ସେହି ସମୟରେ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଷ୍ଟମ୍ପ ମାଇକ୍ ନିକଟକୁ ଆସି ବିରୋଧୀ ଦଳକୁ ଚେତାବନୀ ଦେଇଛନ୍ତି।
ବୁମରା କହିଛନ୍ତି, ମୁଁ ଜାଣିଶୁଣି ଷ୍ଟମ୍ପ ମାଇକ୍ ନିକଟକୁ ଆସିଛି। ପରବର୍ତ୍ତୀ ମ୍ୟାଚ୍ ବାକି ଅଛି। ‘ଏବେ ଯେତେ ଡେଇଁବା କଥା ଡିଅଁ’। ସେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି। ବୁମରାଙ୍କ କଥା ଶୁଣିବା ପରେ ସାଥୀ ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି। ସେ କହିଛନ୍ତି, ‘ବହୁତ ବାକି ଅଛି ଠାକୁର ! ଏହା ପରେ ବୁମରା କହିଛନ୍ତି, ଯେଉଁ ଲୋକେ ଶୁଣିବା କଥା ଶୁଣି ନିଅନ୍ତୁ’।
ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୦୨ ରନ କରିଥିଲା। ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ୨୨୯ ରନ କରି ୨୭ ରନର ଅଗ୍ରଣୀ ହାସଲ କରିଥିଲା। ଦ୍ଵିତୀୟ ଇନିଂସରେ ଭାରତୀୟ ଦଳ ୨୬୬ ରନ କରିବା ସହ ଆୟୋଜକ ଦଳ ସାମ୍ନାରେ ୨୪୦ ରନର ବିଜୟ ଲକ୍ଷ୍ୟ ରଖିଥିଲା। ତେବେ ଦଳ ମାତ୍ର ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।
ସିରିଜ୍ ବର୍ତ୍ତମାନ ୧-୧ରେ ବରାବର ରହିଛି। ଜାନୁଆରୀ ୧୧ରୁ କେପଟାଉନ୍ରେ ନିର୍ଣ୍ଣାୟକ ମୁକାବିଲା ଖେଳାଯିବ। ଭାରତୀୟ ଦଳ ପ୍ରଥମ ଟେଷ୍ଟ ୧୧୩ ରନରେ ଜିତି ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଥଲା। ହେଲେ ଦଳ ଦ୍ଵିତୀୟ ଟେଷ୍ଟରେ ଘରୋଇ ଦଳଠୁ ୭ ଓ୍ଵିକେଟ୍ରେ ପରାଜିତ ହୋଇଛି।

Get real time updates directly on you device, subscribe now.