ଚୀନ ସମର୍ଥନରେ ବୟାନ ଦେଲେ ସିପିଆଇ-ଏମ ନେତା, ବିଜେପି ନେତା କହିଲେ ‘ଗଦ୍ଦାର’

ନୂଆଦିଲ୍ଲୀ: କେରଳରେ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ବ୍ୟୁରୋ ସଦସ୍ୟ ଏବଂ ବରିଷ୍ଠ ନେତା ଏସ୍ ରାମଚନ୍ଦ୍ରନ ପିଲ୍ଲାଇ ଚୀନ ସମର୍ଥନରେ ଦେଇଥିବା ବୟାନକୁ ନେଇ ବିବାଦ  ବଢିବାରେ ଲାଗିଛି। ଭାରତୀୟ ଜନତା ପାର୍ଟି(ବିଜେପି)ର ନେତା ସିପିଆଇ(ଏମ) ନେତା ଏସ ରାମଚନ୍ଦ୍ରନଙ୍କୁ ‘ଗଦ୍ଦାର’ କହିଛନ୍ତି। ଗୁରୁବାର ସିପିଆଇ-ଏମ କୋଟ୍ଟାୟମ ଜିଲ୍ଲାରେ କମିଟିର ବୈଠକ ସମୟରେ ଏସ ରାମଚନ୍ଦ୍ରନ କହିଛନ୍ତି, ଚୀନ ବିରୋଧରେ ଭାରତର ଅଭିଯାନ ସିପିଆଇ-ଏମ ଉପରେ ଏକ ପ୍ରକାରର ଆକ୍ରମଣ।

ଏହି ବୟାନକୁ ନେଇ କେରଳ ବିଜେପିର ଉପାଧ୍ୟକ୍ଷ କେଏସ ରାଧାକୃଷ୍ଣନ ଶନିବାର ରାମଚନ୍ଦ୍ରନଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ପିଲ୍ଲାଇ ଏକ ପ୍ରକାର ଶତ୍ରୁ ଦେଶ ପ୍ରତି ନିଜର ବିଶ୍ଵସନୀୟତା ଦେଖାଇଛନ୍ତି। ମୋ ନଜରରେ ସେ ଜଣେ ଗଦ୍ଦାର। ସମସ୍ତ ଗଦ୍ଦାରଙ୍କୁ ଗିରଫ କରାଯିବା ଉଚିତ୍ ଏବଂ ଆଇନ ଅନୁଯାୟୀ, ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ୍।

ବିଜେପି ନେତା କହିଛନ୍ତି, ମୁଁ ମାକ୍ସବାଦୀ ସମୁଦାୟକୁ ଅନୁରୋଧ କରିବାକୁ ଚାହୁଁଛି ଯେ, ଭାରତରେ ରହି ସେମାନଙ୍କୁ ଶତ୍ରୁ ଦେଶର ରକ୍ଷା କରିବା ବିଚାର ପରିତ୍ୟାଗ କରିବା ଉଚିତ୍। ଯଦି ସେମାନେ ଚୀନର ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଚୀନ ଯାଇ ସେଠାରେ ରହିବା ଉଚିତ୍।

ସେ ଏହା ମଧ୍ୟ କହିଛନ୍ତି, ୧୯୨୦ରୁ କମ୍ୟୁନିଷ୍ଟ ପାର୍ଟିର ନେତା ବିଦେଶୀଙ୍କ ଫାଇଦା ପାଇଁ କାମ କରୁଛନ୍ତି। ପିଲ୍ଲାଇ ଚିନ୍ତା କରୁଛନ୍ତି ଯେ, ଚୀନ ତାଙ୍କର ଦେଶ ଏବଂ ସି ତାଙ୍କର ନେତା। ଯେବେ ଚୀନର ସମାଲୋଚନା କରାଯାଉଛି ତେବେ ତାଙ୍କୁ ଲାଗୁଛି ଯେ, ତାଙ୍କର ସମାଲୋଚନା କରାଯାଉଛି।