fbpx

୬୭ ବର୍ଷ ଥରେ ମାତ୍ର ଗାଧୋଇ ନାହିଁ ଏଇ ମଣିଷ! ରାସ୍ତାକଡ଼ର ପଚାସଢ଼ା ଖାଦ୍ୟ ଖାଇ ବି ସମ୍ପୂର୍ଣ୍ଣ ସୁସ୍ଥ

ନୂଆଦିଲ୍ଲୀ: ଆଜି ବି ଏ ବିଶ୍ୱରେ ଏପରି କିଛି ମଣିଷ ବଞ୍ଚିଛନ୍ତି, ଯେଉଁମାନେ କି ଅବିଶ୍ୱସନୀୟ କାର୍ଯ୍ୟ କରି ସମସ୍ତକୁ ଚକିତ କରିଦେଇଥାନ୍ତି । କିଛି ଲୋକ କେବଳ ବାଲି ଖାଇ ବଞ୍ଚୁଥିବା ବେଳେ ଆଉ କିଏ ପଥର ଖାଇ ବଞ୍ଚୁଥିବା ଆମେ ଶୁଣିଛେ । ତେବେ ଏପରି ଜଣେ ବ୍ୟକ୍ତି ରହିଛନ୍ତି ଯେ କି ଦୀର୍ଘ ୬୭ ବର୍ଷ ହେଲା ଆଦୌ ଗାଧୋଇ ନାହାନ୍ତି । ଏଥିପାଇଁ ଏହି ବ୍ୟକ୍ତିଙ୍କୁ ଗନ୍ଦା ମଣିଷ ବୋଲି କୁହାଯାଇଥାଏ ।

ଜଣାପଡ଼ିଛି ଯେ, ଇରାନରେ ଆମୋ ହାଜି ନାମକ ଜଣେ ୮୭ ବର୍ଷୀୟ ବୃଦ୍ଧ ରହୁଛନ୍ତି, ଯେ କି ୬୭ ବର୍ଷ ହେଲା ଗାଧୋଇ ନାହାନ୍ତି । କେବଳ ସେତିକି ନୁହେଁ, ସେ ତାଜା ଖାଦ୍ୟ ଖାଇବା ବଦଳରେ ପଚାସଢ଼ା ମାଂସକୁ ଆଦରର ସହିତ ଭକ୍ଷଣ କରିଥାନ୍ତି । ସାଧାରଣତଃ ଥଣ୍ଡା ଦିନେ ଲୋକମାନେ ଗାଧୋଇବାକୁ କୁଣ୍ଠିତ ପ୍ରକାଶ କରିଥାନ୍ତି । ଗୋଟିଏ ଦିନ ଦେହରେ ପାଣି ନ ପଡ଼ିଲେ ଆମକୁ ସତେଜ ଅନୁଭବ ହୁଏ ନାହିଁ । କିନ୍ତୁ ହାଜି ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ । ୬ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ଦେହରେ ପାଣି ଟିକିଏ ବାଜି ନାହିଁ ।

ବିନା ଗାଧୁଆରେ, ଅପରିଷ୍କାର ଖାଦ୍ୟ ସେବନ କରି ଜଣେ କିପରି ଭାବେ ଏତେ ବର୍ଷ ପର୍ଯ୍ୟନ୍ତ ସୁସ୍ଥମୟ ଜୀବନ ଯାପନ କରିପାରୁଛି, ସେ ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ । ପ୍ରକୃତ ତଥ୍ୟ ଜାଣିବା ପାଇଁ ହାଜିଙ୍କୁ ନେଇ ଏକ ଟିମ୍ ରିସର୍ଚ୍ଚ କରିଥିଲେ । ଜଣାପଡ଼ିଥିଲା ଯେ, ୬୭ ବର୍ଷରେ ହାଜି ବିନା ଗାଧୁଆରେ ରାସ୍ତାକଡ଼ର ଖାଦ୍ୟ ଖାଇ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି । ତେବେ ଗାଧୋଇଲେ ରୋଗରେ ପଡ଼ିବେ ବୋଲି ସେ ପାଣିକୁ ଛୁଅଁନ୍ତି ନାହିଁ ବୋଲି ହାଜି ନିଜେ କହିଛନ୍ତି । ସେ ଚୁଟିକୁ କାଟିବା ବଦଳରେ ଜଳାଇ ଛୋଟ କରିଥାନ୍ତି । ନ ଗାଧୋଇବା କାରଣରୁ ହାଜିଙ୍କ ଚେହରା କଳା ଓ ଅପରିଷ୍କାର ଦେଖାଯାଇଥାଏ । ଏପରି ବ୍ୟକ୍ତିଙ୍କ ଆଖପାଖରେ ଜଣେ ବ୍ୟକ୍ତି କେବେ ବି ଚଳି ପାରିବ ନାହିଁ ।

Get real time updates directly on you device, subscribe now.