fbpx

ବିନା ଅନୁମତିରେ ମୋବାଇଲ କିଣିଦେଲେ ପତ୍ନୀ, ରାଗରେ ଆସି ସ୍ତ୍ରୀ ପଛରେ ସୁପାରୀ କିଲର ଲଗାଇଦେଲା ସ୍ୱାମୀ; ଲହୁଲୁହାଣ ଅବସ୍ଥାରେ ଉଦ୍ଧାର

କୋଲକାତା: ବିନା ଅନୁମତିରେ ପତ୍ନୀ ସ୍ମାର୍ଟଫୋନ୍ କିଣିବାରୁ ରାଗରେ ଜର୍ଜରିତ ସ୍ୱାମୀ ଏପରି କାଣ୍ଡ କରିଛି ଯାହା ଶୁଣିବା ପରେ ଆପଣ ମଧ୍ୟ ତାଜୁବ୍ ହୋଇଯିବେ । କିଛି ନ ଜଣାଇ ସ୍ତ୍ରୀ ମୋବାଇଲ୍ ଫୋନ୍ କିଣିଦେଇଥିବାରୁ ଜଣେ ୪୦ ବର୍ଷିୟ ବ୍ୟକ୍ତି ନିଜ ସ୍ତ୍ରୀ ପଛରେ ସୁପାରୀ କିଲର୍ ଲଗାଇ ଦେଇଛନ୍ତି । ତାଙ୍କୁ ଜୀବନରୁ ମାରିଦେବା ନେଇ ଅର୍ଡର୍ ଦେଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ କୋଲକାତା ପୋଲିସ୍ ଗିରଫ କରିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୋଲିସ୍ ର ସୂଚନା ମୁତାବକ, ଅଭିଯୁକ୍ତଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି, ସେ ନିଜ ସ୍ୱାମୀଙ୍କୁ କିଛି ମାସ ତଳେ ଗୋଟିଏ ସ୍ମାର୍ଟଫୋନ୍ କିଣିବାକୁ କହିଥିଲେ । ହେଲେ ତାଙ୍କ ସ୍ୱାମୀ ମନା କରିଦେଇଥିଲେ । ଏହାପରେ ମହିଳା ଜଣକ ନିଜ ଟଙ୍କାରେ ଫୋନ୍ କିଣିବା ପାଇଁ ପିଲାଙ୍କୁ ଟ୍ୟୁସନ୍ କଲେ ଓ ସେଥିରୁ ଯେଉଁ ରୋଜଗାର ହେଲା ସେଥିରେ ସେ ମୋବାଇଲ୍ ଫୋନ୍ ଟିଏ କିଣିଲେ । ତେବେ ଏହି କଥା ଯେତେବେଳେ ମହିଳାଙ୍କ ସ୍ୱାମୀ ଜାଣିବାକୁ ପାଇଥିଲେ ସେତେବେଳେ ସେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ଓ ଡରାଇଥିଲେ ।

ପୋଲିସ୍ କହିଛି ଯେ, ଗୁରୁବାର ଦିନ ରାତିରେ ଅଭିଯୁକ୍ତ ସ୍ୱାମୀ ନିଜ ଘରର ମେନ୍ ଗେଟ୍ କୁ ଲକ୍ କରିବାକୁ ଯାଇଥିଲେ । ହେଲେ ରୁମ୍ କୁ ଆଉ ଫେରିନଥିଲେ । ତେଣୁ ମହିଳାଙ୍କୁ ସନ୍ଦେହ ହେବାରୁ ସେ ଖୋଜିବାକୁ ଯାଇଥିଲେ ସେହି ସମୟରେ ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କ ସହିତ ମାରପିଟ୍ କରିଥିଲେ । ସେମାନେ ମହିଳାଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ । କୌଣସି ମତେ ମହିଳା ଜଣକ ସେଠାରୁ ଖସିଯାଇ ସ୍ଥାନୀୟ ଲୋକଙ୍କୁ ଜୋର ପାଟିରେ ଡାକିଥିଲେ ।

ଏହାପରେ ସ୍ଥାନୀୟ ଲୋକେ ମହିଳାଙ୍କ ପାଟି ଶୁଣି ତାଙ୍କୁ ଉଦ୍ଧାର କରିଥିଲେ । ଲୋକମାନେ ଦୁଇଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କୁ ଧରିବା ସହିତ ତାଙ୍କ ସ୍ୱାମୀଙ୍କୁ ମଧ୍ୟ କାବୁ କରିଥିଲେ । ହେଲେ ଅନ୍ୟଜଣେ ଖସି ପଳାଇଥିଲେ । ତାଙ୍କୁ ପୋଲିସ୍ ଖୋଜୁଥିବା ବେଳେ ମହିଳାଙ୍କ ସ୍ୱାମୀ ଓ ଜଣେ ସୁପାରୀ କିଲର୍ କୁ ପୋଲିସ୍ ଗିରଫ କରିଛି । ତେବେ ମହିଳାଙ୍କ ଶରୀରରେ ୭ଟି ସ୍ଥାନରେ ଷ୍ଟିଚ୍ ପଡ଼ିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.