fbpx

ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ସହ ଭାଙ୍ଗିଲେ ଗାଡ଼ି

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭାଙ୍ଗିଲେ ବୋଲେରୋ କାଚ । ଆକ୍ରମଣର ଶିକାର ହେଲେ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତାରିଗାଁ ଠାରେ ଆଜି ଉମରକୋଟ ଓ ରାଇଘର ଅବକାରୀ ବିଭାଗ ଓ ରାଇଘର ପୁଲିସର ମିଳିତ ଚଢାଉ ହୋଇଥିଲା । ଏଥିରେ ଆଜି ୬୦୦ କିଲୋ ମହୁଲ ପୋଚ ଓ ୫୦ ଲିଟର ଦେଶୀ ମଦ ଜବତ ହୋଇଛି । କିନ୍ତୁ ଏହି ସମୟରେ ଘଟିଲା ଏକ ଅଭାବନୀୟ ଘଟଣା । ପୁରୁଣା ଆକ୍ରୋଶକୁ ନେଇ ଗ୍ରାମବାସୀ ଉଭୟ ବିଭାଗର କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏହି ଖଣ୍ଡ ଯୁଦ୍ଧରେ ଗ୍ରାମର କିଛି ଲୋକେ ଅବକାରୀ ବିଭାଗର ଗାଡ଼ି ଏବଂ ପୁଲିସ ଗାଡ଼ିକୁ ଅଟକାଇ ଟେକା ପଥର ଓ ଠେଙ୍ଗା ମାଡ଼ ମାରି ବୋଲେରୋ ଗାଡ଼ିର କାଚ ଭାଙ୍ଗିବା ସହିତ ଗାଡ଼ିକୁ ଭଙ୍ଗାଋଜା କରିଥିବା ଜଣାପଡିଛି । ଏଥିସହିତ ସେମାନଙ୍କ ଆକ୍ରମଣରେ ଥାନା ସବ୍ ଇନସପେକ୍ଟର୍ ଓ ଜଣେ ମହିଳା କନେଷ୍ଟବଳ ଆହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ ପ୍ରାୟ ଦୁଇ ମାସ ପୂର୍ବେ ଉକ୍ତ ଗ୍ରାମର କୃଷ୍ଣ କଲାରଙ୍କୁ ରାତି ୧ ଟା ସମୟରେ ଉମରକୋଟ ପୁଲିସ ଭୁଲ୍ ବଶତଃ ଉଠାଇ ନେଇଥିଲା ଏବଂ ଦିନ ତମାମ ରଖି ପରେ ଛାଡ଼ି ଦେଇଥିଲା । ଫଳରେ ତାରିଗାଁ ଗ୍ରାମବାସୀ ପୁର୍ବରୁ ପୁଲିସକୁ ଟାର୍ଗେଟରେ ରଖିଥିଲେ । ଆଜି ଏହି ଚଢାଉ ସମୟରେ ସୁଯୋଗ ପାଇ ଗ୍ରାମବାସୀ ପୁଲିସ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ଉଭୟ ବିଭାଗ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

Get real time updates directly on you device, subscribe now.