fbpx

ଗାଁରେ ବେରୋଜଗାରୀ ବଢୁଥିବା ବେଳେ ମନରେଗା ବଜେଟରେ ୨୫ ପ୍ରତିଶତ ହ୍ରାସ, ୨୫ ଦିନ କାମ ମିଳିବା ମୁସ୍କିଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଭିତ୍ତିଭୂମି ଉପରେ ଫୋକସ୍ କରାଯାଇ ଗ୍ରାମ୍ୟ ବିକାଶ ପାଇଁ ବଜେଟ୍ ବୃଦ୍ଧି କରାଯାଇଛି। ଏଥର ସାଧାରଣ ବଜେଟରେ ଗାଁ ବିକାଶ ପାଇଁ ଏକ ଲକ୍ଷ ୩୫ ହଜାର ୯୪୪ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ମାତ୍ର କରୋନାକାଳ ପରଠୁ ସହରାଞ୍ଚଳଠୁ ନେଇ ଗ୍ରାମାଞ୍ଚଳ ପର‌୍ୟ୍ୟନ୍ତ ବଢିଥିବା ବେରୋଜଗାରୀ ମଧ୍ୟରେ ମନରେଗାର ବଜେଟ୍ କମ କରି ଦିଆଯାଇଛି। ଆର୍ଥିକ ବର୍ଷ ୨୦୨୨-୨୩ରେ ମନରେଗା ପାଇଁ ୭୩୦୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହା ଚଳିତ ଆର୍ଥିକ ବର୍ଷ ତୂଳନାରେ ୨୫ ପ୍ରତିଶତ କମ ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ପାଇଁ ୯୮ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା।

ଏମିତିରେ ମନରେଗାର ବଜେଟରେ ହ୍ରାସ କରାଯିବା ବେରୋଜଗାରୀ ସମୟରେ ଏକ ଚିନ୍ତାଜନକ ବିଷୟ। ୨୦୨୦ ଲକଡାଉନ ସମୟରେ ମନରେଗା ଗ୍ରାମାଞ୍ଚଳ ଗୁଡିକୁ ବଡ ଆର୍ଥିକ ସଙ୍କଟରୁ ବଞ୍ଚାଇ ଦେଇଥିଲା। ଏପରିକି ଲକଡାଉନ ସମୟରେ ସହରାଞ୍ଚଳରୁ ପଳାୟନ କରି ଗାଁରେ ପହଞ୍ଚିଥିବା ପ୍ରବାସୀ ଶ୍ରମିକଙ୍କୁ ମନରେଗା କାରଣରୁ କାମ ମିଳିଥିଲା। ଏପରିକି ୟୁପି ସରକାର ସ୍ଵତନ୍ତ୍ର ଅଭିଯାନ ଚଳାଇ ମନରେଗା ଯୋଜନା ଆଧାରରେ ବଡ ସଂଖ୍ୟାରେ ବେରୋଜଗାରକୁ କାମ ଦେଇଥିଲେ। ଏପରିକି ଜାନୁଆରୀ ୩୧ରେ ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେରେ ମଧ୍ୟ ମନରେଗାକୁ ଗ୍ରାମାଞ୍ଚଳରେ ରୋଜଗାର ପାଇଁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଦର୍ଶାଯାଇଥିଲା। ମନରେଗା ଫଣ୍ଡରେ ହ୍ରାସ କରାଯିବା ବିରୋଧୀଙ୍କ ଦ୍ଵାରା ବଡ ପ୍ରସଙ୍ଗ ହୋଇପାରେ।

ନ୍ୟାସନାଲ ଫେଡେରେସନ ଅଫ ଇଣ୍ଡିଆ ମହିଳାର ସଭାପତି ଅରୁଣା ରାୟ କହିଛନ୍ତି, ମନରେଗାର ବଜେଟ୍ ହ୍ରାସ ନିଶ୍ଚିତ ରୂପେ ଚିନ୍ତାଜନକ। ଦେଶ ବର୍ତ୍ତମାନ ସର୍ବକାଳୀନ ଉଚ୍ଚ ବେରୋଜଗାରୀ ହାରରେ ଗତି କରୁଛି। ମାତ୍ର ସରକାର ଏହା ଚିନ୍ତା କରୁନାହାନ୍ତି ଯେ, ମନରେଗା ପାଇଁ ଉଚିତ୍ ଫଣ୍ଡ ଦିଆଯାଇ ବେରୋଜଗାରଙ୍କୁ କିଛି କାମ ଦିଆଯାଇ ପାରିବ। ଓଲଟା ମନରେଗା ଫଣ୍ଡ କମ କରି ଦିଆଯାଇଛି। ୨୦୨୨-୨୩ ବଜେଟରେ ମନରେଗା ପାଇଁ ଯେଉଁ ଅର୍ଥ ବ୍ୟୟବରାଦ କରାଯାଇଛି ସେଥିରେ ମାସରେ ୨୫ ଦିନ କାମ ଦେବା ମୁସ୍କିଲ ବୋଲି ଅରୁଣା କହିଛନ୍ତି।

Get real time updates directly on you device, subscribe now.