fbpx

U19 World Cup Final: ଆଜି ଭାରତ-ଇଂଲଣ୍ଡ ଫାଇନାଲ୍ ମୁକାବିଲା, ପଞ୍ଚମ ଟାଇଟଲ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜରେ ଖେଳାଯାଉଥି୍ବା ୧୯ ବର୍ଷରୁ କମ ବିଶ୍ଵ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଶନିବାର ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚରେ ଚାରି ଥରର ଚାମ୍ପିଅନ ଭାରତ ଏବଂ ଥରେ ଟାଇଟଲ୍ ଜିତିଥିବା ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ଚଳିତ ବିଶ୍ଵ କପରେ ଭାରତୀୟ ଦଳର ପ୍ରଦର୍ଶନ ଚମତ୍କାର ରହିଛି। ଦଳ ଟୁର୍ଣ୍ଣାମେଣ୍ଟରେ ନିଜର ସମସ୍ତ ୫ ମ୍ୟାଚରେ ବିଜୟ ହାସଲ କରିଛି।

ଗ୍ରୁପ ପର୍ଯ୍ୟାୟରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୪୫ ରନ, ଆୟରଲାଣ୍ଡକୁ ୧୭୪ ରନ ଏବଂ ଉଗାଣ୍ଡାକୁ ୩୨୬ ରନରେ ହରାଇଛି। କ୍ଵାର୍ଟର ଫାଇନାଲରେ ୨୦୨୦ର ଚାମ୍ପିଅନ ବାଂଲାଦେଶକୁ ୫ ଓ୍ଵିକେଟରେ ମାତ୍ ଦେଇଥିଲା ଭାରତ। ପୁଣି ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ୯୬ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ୟଶ୍ ଧୁଲଙ୍କ ନେତୃତ୍ଵାଧୀନ ଦଳ।

ଇଂଲଣ୍ଡ ବି ଜିତିଛି ସବୁ ମ୍ୟାଚ୍

ଅନ୍ୟପଟେ ଇଂଲଣ୍ଡ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ସମସ୍ତ ପାଞ୍ଚ ମ୍ୟାଚ୍ ଜିତିଛି। ସେମି ଫାଇନାଲ୍ ମ୍ୟାଚକୁ ବାଦ୍ ଦେଲେ ବାକି ମ୍ୟାଚରେ ଦଳ ବଡ ବ୍ୟବଧାନରେ ଜିତିଛି। ଗ୍ରୁପ ପର୍ଯ୍ୟାୟରେ ଇଂଲଣ୍ଡ ବାଂଲାଦେଶକୁ ସାତ ଓ୍ଵିକେଟ୍, କାନାଡାକୁ ୧୦୬ ରନ ଏବଂ ୟୁଏଇକୁ ୧୮୯ ରନରେ ପରାସ୍ତ କରିଛି। ସେହି ପରି କ୍ଵାର୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୬ ଓ୍ଵିକେଟରେ ହରାଇଛି ଦଳ। ସେମି ଫାଇନାଲରେ ଦଳକୁ ଆଫଗାନିସ୍ତାନଠୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା ଦଳ। ଅତି ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକର ମୁକାବିଲାରେ ୧୫ ରନରେ ଜିତି ଫାଇନାଲରେ ୨୪ ବର୍ଷ ପରେ ପହଞ୍ଚିଛି ଇଂଲଣ୍ଡ।

ଚାରି ଥର ବିଶ୍ଵ କପ୍ ଜିତିଛି ଭାରତ

ଭାରତ ନିକଟରେ ପଞ୍ଚମ ଥର ବିଶ୍ଵ ଚାମ୍ପିଅନ ହେବାର ସୁଯୋଗ ରହିଛି। ଏହା ପୂର୍ବରୁ ଦଳ ୨୦୦୦, ୨୦୦୮, ୨୦୧୨ ଏବଂ ୨୦୧୮ରେ ବିଶ୍ଵ କପ୍ ଜିତିଛି। ଅପରପକ୍ଷେ ୨୦୦୬, ୨୦୧୬ ଏବଂ ୨୦୨୦ରେ ଭାରତୀୟ ଦଳକୁ ଫାଇନାଲରେ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ଭାରତ ରେକର୍ଡ ଅଷ୍ଟମ ଥର ଫାଇନାଲରେ ପ୍ରବେଶ କରିଛି। ୧୯ ବର୍ଷରୁ କମ ବିଶ୍ଵ କପରେ କୌଣସି ବି ଦଳ ଏତେ ଥର ଫାଇନାଲରେ ପହଞ୍ଚି ପାରି ନାହାନ୍ତି। ଏଥିସହ ଭାରତର ଏହା ରେକର୍ଡ କ୍ରମାଗତ ଚତୁର୍ଥ ଫାଇନାଲ୍ ମ୍ୟାଚ୍। ଅର୍ଥାତ ଦଳ ୨୦୧୬ରୁ କ୍ରମାଗତ ଫାଇନାଲ୍ ଖେଳି ଆସୁଛି।

୧୯୯୮ରେ ବିଶ୍ଵ କପ୍ ଜିତିଛି ଇଂଲଣ୍ଡ

ଅନ୍ୟପଟେ ଇଂଲଣ୍ଡ ୧୯୯୮ରେ ବିଶ୍ଵ କପ୍ ଜିତିଥିଲା। ଏହା ପରେ ଇଂଲଣ୍ଡ ଦଳ ଦୀର୍ଘ ୨୪ ବର୍ଷ ପରେ ଯାଇ ଫାଇନାଲରେ ପହଞ୍ଚିଛି। ତେଣୁ ଦଳ ଉପରେ ଫାଇନାଲ ମ୍ୟାଚର ଚାପ ନିଶ୍ଚିତ ରହିପାରେ। ଭାରତୀୟ ଦଳ ନିକଟରେ ଏସିଆ କପ ମଧ୍ୟ ଜିତିଛି। ଆଜିର ଫାଇନାଲ୍ ମୁକାବିଲାରେ ରେକର୍ଡ ଏବଂ ପ୍ରଦର୍ଶନକୁ ଦେଖିଲେ ଭାରତର ପଲ୍ଲା ଭାରି ରହିଛି।

ଭାରତୀୟ ଦଳ

ୟଶ ଧୁଲ(ଅଧିନାୟକ), ହରନୁର ସିଂହ, ଅଙ୍ଗକୃଷ୍ଣ ରଘୁବଂଶୀ, ଏସକେ ରଶିଦ(ଉପ ଅଧିନାୟକ), ନିଶାନ୍ତ ସିନ୍ଧୁ, ସିଦ୍ଧାର୍ଥ ଯାଦବ, ଅନିଶ୍ଵର ଗୌତମ, ଦିନେଶ ବାନା, ଆରାଧ୍ୟ ଯାଦବ, ରାଜ ଅଙ୍ଗଦ ବାଭା, ମାନବ ପାରଖ, କୌଶଲ ତାମ୍ବେ, ଆରଏସ ହଙ୍ଗରଗେକର, ବାସୁ ଭତ୍ସ, ଭିକ୍କି ଓଷ୍ଟଓ୍ଵାଲ, ରବି କୁମାର, ଗର୍ବ ସାଙ୍ଗଓ୍ଵାନ।

 

Get real time updates directly on you device, subscribe now.