ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା: ୧୩ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟଣା । ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପୋଲିସ ବିଭାଗ ପକ୍ଷରୁ ୯ ଲକ୍ଷ, ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏନେଇ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ଏହା ସହ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମାଓବାଦୀଙ୍କ ବିସ୍ପୋରଣରେ ରୋହିତଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାକୁ ନିନ୍ଦା ସହ କଡ଼ା କାର୍ଯ୍ୟାନୁଷ୍ଠାନ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ମଦନପୁର.ରାମପୁର ଥାନା କର୍ଲାଖୁଣ୍ଟା ଦୁଲେନ ବ୍ରିଜ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା । ଜଣାପଡ଼ିଛି ଯେ, ମାଓବାଦୀ ମାରିଥିବା ପୋଷ୍ଟରର ଫଟୋ ଉଠାଇବାକୁ ଯିବା ସମୟରେ ଏହି ଅଘଟଣ ଘଟିଛି ।

ଅନ୍ୟପଟେ, ଦାୟିତ୍ୱ ନିର୍ବାହ କରୁଥିବା ସମୟରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯିବା ସହ ମାଓବାଦୀଙ୍କ ଏତାଦୃଶ କାର୍ଯ୍ୟକୁ ନିନ୍ଦା କରାଯାଇଛି ।