ଲଦାଖରେ ଦ୍ରୁତ ଗତିରେ ତରଳୁଛି ଗ୍ଲେସିୟର, ପାଙ୍ଗଙ୍ଗ ହ୍ରଦ ଉଛୁଳିଲେ ବଡ଼ ବନ୍ୟା ଆଶଙ୍କା

ଶ୍ରୀନଗର: ଲଦାଖର ପାଙ୍ଗୋଙ୍ଗ ଅଞ୍ଚଳରେ ଗ୍ଲେସିୟର ଦ୍ରୁତ ଗତିରେ ତରଳିବାରେ ଲାଗିଛି । ୧୯୯୦ ପରଠାରୁ, ଗ୍ଲାସିଅର୍‌ ସ୍ଥର ୬.୭% ତରଳି ଯାଇଛି । ସ୍ଥାନୀୟ ଲୋକମାନେ ମଧ୍ୟ ଏଥିପାଇଁ ଚିନ୍ତିତ ଅଛନ୍ତି । କାଶ୍ମୀର ବିଶ୍ୱବିଦ୍ୟାଳୟର ଜିଓ ଇନଫର୍ମାଟିକ୍ସ ବିଭାଗ ଅନୁସନ୍ଧାନରୁ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ  ଆସିଛି ।

ଜିଓ ଇନଫର୍ମାଟିକ୍ସ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଇରଫାନ୍‌ ରସିଦ୍‌ କହିଛନ୍ତି ଯେ, ଆମେ ୧୯୯୦ ରୁ ୨୦୨୦ ପର୍ଯ୍ୟନ୍ତ ୮୭ ଟି ଗ୍ଲାସିୟରର ଉପଲବ୍ଧ ଉପଗ୍ରହ ତଥ୍ୟ ଅଧ୍ୟୟନ କରିଛୁ । ଏହା ଜଣାପଡିଛି ଯେ ଗ୍ଲେସିୟର ତରଳିବା ହେତୁ ପାଙ୍ଗୋଙ୍ଗ ସମେତ ଅନେକ ହ୍ରଦର ଜଳ ସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହି କାରଣରୁ ହ୍ରଦଗୁଡ଼ିକର ଆକାର ବୃଦ୍ଧି ପାଉଛିି । ତେଣୁ ପାଙ୍ଗଙ୍ଗ ହ୍ରଦରେ ଜଳସ୍ଥର ବୃଦ୍ଧି ହୋଇ ବଡ଼ ବନ୍ୟା ଆସିବାର ସମ୍ଭାବନା ରହିଛି । ଯାହା ସେଠାକାର ଲୋକଙ୍କ ପ୍ରତି ଥିବା ବିପଦର ଆଶଙ୍କାକୁ ବଢାଇଦେଇଛି ।

ଅଧ୍ୟୟନ ଅନୁଯାୟୀ, ଗ୍ଲେସିୟର ପ୍ରତିବର୍ଷ ୦.୨୩% ହ୍ରାସ ପାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପାଙ୍ଗଙ୍ଗ ହ୍ରଦ ଏହି ଗ୍ଲେସିୟର ଦ୍ୱାରା ଭରି ରହିଛି । ଏହି ଗା୍ଲସିୟର ତରଳିବା ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିବ । ସ୍ଥାନୀୟ ବାସିନ୍ଦା ଡୋର୍ଜେ ଆଙ୍ଗଚୁକ୍‌ କହିଛନ୍ତି ଯେ ଅନେକ କୃଷକ ଜଳସେଚନ ପାଇଁ ପର୍ବତରେ ବରଫ ଏବଂ ଗ୍ଲେସିୟର ଜଳ ବ୍ୟବହାର କରନ୍ତି । ଏହା ତାଙ୍କୁ କୃଷି କାର୍ଯ୍ୟରେ ସାହାର୍ଯ୍ୟ କରେ । ଲଦାଖରେ ପୂର୍ବରୁ ଜଳ ଅଭାବ ଦେଖାଦେଇଛି । ଯଦି ଗ୍ଲେସିୟର ମଧ୍ୟ ହ୍ରାସ ହୁଏ, ତେବେ ଜଳ ଅଭାବ ବହୁଗୁଣିତ ହେବ ବୋଲି ଭୟ ରହିଛି ।