ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌, ୬୭.୫୧ ଲକ୍ଷ ଭୋଟର ସାବ୍ୟସ୍ତ କରିବେ ମତାଧିକାର

ଭୁବନେଶ୍ୱର,  (ଭାସ୍କର ନ୍ୟୁଜ୍‌): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଅନୁଷ୍ଠିତ ହେବ ଭୋଟଗ୍ରହଣ । ଏଥିନେଇ ପୋଲିଂ ପାର୍ଟି ସ୍ଥାପନ କରାଯାଇଥିବା ବୁଥ୍‌ଗୁଡ଼ିକରେ ପହଞ୍ଚିଛନ୍ତି।  ମତଦାନ କେନ୍ଦ୍ର ଗୁଡ଼ିକରେ ପ୍ରସ୍ତୁତି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ଆସନ, ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୨,୩୭୯ ୱାର୍ଡମେମ୍ବର ପଦବୀ ପାଇଁ ଭାଗ୍ୟ ନିର୍ଦ୍ଦାରଣ କରିବେ ଭୋଟର । ୬୭.୫୧ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୨୨,୩୭୯ଟି ବୁଥ୍‌ ସ୍ଥାପନ କରାଯାଇଥିବା ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ି ସୂଚନା ଦେଇଛନ୍ତି ।

ଶ୍ରୀ ପାଢ଼ି କହିଛନ୍ତି ବୁଧବାରର ଅର୍ଥାତ ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସ୍ଥାପନ କରାଯାଇଥିବା ବୁଥ୍‌ଗୁଡ଼ିକ ମଧ୍ୟରୁ ୩୩୫୭ଟି ଉତ୍ତେଜନା ପ୍ରବଣ ବୋଲି ଚିହ୍ନଟ ହୋଇଥିବାବେଳେ ସେସବୁ ବୁଥ୍‌ଗୁଡ଼ିକରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀ, ଇଣ୍ଡିଆନ ରିଜର୍ଭ ବାଟାଳିୟନ ଏବଂ ସ୍ପେଶାଲ ରିଜର୍ଭ ବାଟାଲିୟନର ୩୭୨୪୫ ଜଣ ଯବାନଙ୍କୁ ନିୟୋଜିତ କରାଯାଇଛି । ଭୋଟ ଦେବା ନିମନ୍ତେ ଜଣେ ବ୍ୟକ୍ତିଙ୍କ ନାମ ୱାର୍ଡସ୍ତରରେ ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ଥିବା ଜରୁରି । ଭୋଟର ପରିଚୟପତ୍ର ସମେତ ଅନ୍ୟ ୧୩ଟି ଦସ୍ତାବିଜ୍‌ ଦେଖାଇ ଜଣେ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିପାରିବେ । ପାନ୍‌ କାର୍ଡ, ଆଧାର କାର୍ଡ, ପାସପୋର୍ଟ, ମନରେଗା ଜବ୍‌ କାର୍ଡ ଦେଖାଇ ଜଣେ ଭୋଟର ଭୋଟ ଦେଇପାରିବେ । କୋଭିଡ୍‌ କଟକଣା ଓ ଗହଳି ଏଡାଇବା ପାଇଁ ଗୋଟିଏ ଲେଖାଏଁ ବୁଥ୍‌ରେ ୩୦୦ରୁ ୫୦୦ ଜଣ ଭୋଟର ଭୋଟ ଦେବାନେଇ ବ୍ୟବସ୍ଥା କରାଯାଇଛି ।

ଚଳିତଥର କୋଭିଡ୍‌ କଟକଣା ମଧ୍ୟରେ ଏହି ଭୋଟ ଅନୁଷ୍ଠିତ ହେଉଥିବାରୁ ସାମାଜିକ ଦୂରତା ରକ୍ଷା ସହ ଜଣେ ଭୋଟର ମାସ୍କ ପିନ୍ଧି ମତାଧିକାର ସାବ୍ୟସ୍ତ କରିବା ଜରୁରି । ଏସବୁ ବ୍ୟତୀତ ଯେଉଁମାନେ କୋଭିଡ ସଂକ୍ରମିତ ଥିବେ ସେମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲ ମାଧ୍ୟମରେ ନିଜର ଭୋଟ ଦେଇପାରିବେ । ଅନ୍ୟପକ୍ଷରେ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଜାରି ସୂଚନା ଅନୁଯାୟୀ ମତଦାନ ନିମନ୍ତେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୮୨୪ଟି ମୋବାଇଲ ପାଟ୍ରୋଲିଂ ଟିମ୍‌ ଭୋଟ ସମୟରେ ବିଭିନ୍ନ ବୁଥ୍‌କୁ ଯାଇ ତଦାରଖ କରିପାରିବେ ।

ସୂଚନାଯୋଗ୍ୟ ଯେ ରାଜ୍ୟର ମୋଟ ୮୫୨ ଜିଲ୍ଲା ପରିଷଦ, ୬୭୯୪ ପଞ୍ଚାୟତ ସରପଞ୍ଚ, ୬୭୯୩ ସମିତି ସଭ୍ୟ ପଦବୀ ପାଇଁ ୧୬ ତାରିଖରୁ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ମୋଟ ୯୧୯୧୩ ବୁଥ୍‌ରେ ୨.୭୯ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ତେବେ ମୋଟ ବୁଥ୍‌ ମଧ୍ୟରୁ ୧୩୭୮୫ ବୁଥ୍‌କୁ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ କରାଯାଇଥିବା ନିର୍ବାଚନ କମିଶନର ଶ୍ରୀ ପାଢ଼ି ସୂଚନା ଦେଇଛନ୍ତି ।