fbpx

ୟୁକ୍ରେନ-ରୁଷ ଯୁଦ୍ଧ: ଗୁରୁତର ଅବସ୍ଥାରେ କୁନି ଝିଅକୁ ଦେଖି କାନ୍ଦି ପକାଇଲେ ଡାକ୍ତର, କହିଲେ- ୟାକୁ ନେଇ ପୁଟିନକୁ ଦେଖାଅ…

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଅନବରତ ଯୁଦ୍ଧ ଲାଗି ରହିଛି । ଲୋକମାନେ ନିଜ ଜୀବନ ରକ୍ଷା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଫେବୃଆରୀ ୨୪ ତାରିଖ ସକାଳରୁ ଲଗାତର ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଚାଲିଛି । ଯୁଦ୍ଧ ଥମିବାର ନାଁ ଧରୁନି । ରୁଷ ଆକ୍ରମଣରେ ଏବେସୁଦ୍ଧା ୩୫୨ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ କୁନି କୁନି ଛୁଆ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଏହା ଭିତରେ ୟୁକ୍ରେନର ମାରିୟୁପୋଲ ସହର ପାଖରେ ବ୍ଲାଷ୍ଟ୍ ହେବା ଫଳରେ ଗୋଟିଏ ୬ ବର୍ଷର କୁନି ଶିଶୁ ଗୁରୁତର ଆହତ ହୋଇଛି । କୁନି ଝିଅର ଶରୀରର ଅନେକ ସ୍ଥାନରେ କ୍ଷତ ହୋଇଥିବା ଜଣାପଡ଼ିଛି । ରବିବାର ଦିନ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୁନି ଝିଅଟିର ମୁଣ୍ଡରେ ଆଘାତ ଲାଗି ସେଠାରୁ ରକ୍ତ ବାହାରୁଥିଲା । ତାର ପୋଷାକରେ ବି ରକ୍ତ ଲାଗିଥିଲା । ଏହି ଭଳି କ୍ଷତବିକ୍ଷତ ଅବସ୍ଥାରେ ତାର ବାପା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଉକ୍ତ କୁନି ଝିଅକୁ ବଞ୍ଚାଇବାକୁ ମେଡିକାଲ୍ ଟିମ୍ ଖୁବ୍ ସଂଘର୍ଷ କରିଥିଲେ । ଛୁଆଟିର ଛାତିରେ ପମ୍ପ କରାଯାଇଥିଲା । ଆମ୍ବୁଲାନ୍ସ ପାଖରେ ଠିଆ କୁନି ଝିଅଟିର ମାଆ ଖୁବ୍ ଜୋରରେ କାନ୍ଦୁଥିଲେ ।

ତାକୁ ଚିକିତ୍ସା କରୁଥିବା ଡାକ୍ତର ଖୁବ୍ ଜୋରରେ ରାଗି ଯାଇ କହିଥିଲେ ଯେ, କୁନି ଝିଅକୁ ନେଇ ପୁଟିନକୁ ଦେଖାଅ, ଏହି ଛୁଆର ଆଖିକୁ ଦେଖ । ଏତିକି କହିବା ପରେ ସେ କାନ୍ଦି ପକାଇଥିଲେ । ଦୁଃଖର ବିଷୟ ଯେ, ଡାକ୍ତର ତାକୁ ବଞ୍ଚାଇପାରିଲେ ନାହିଁ । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥିଲା ।

ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ଲଗାତର ଯୁଦ୍ଧ ଲାଗି ରହିଛି । ଏହା ଭିତରେ ଖବର ରହିଛି ଯେ, ରୁଷ, ୟୁକ୍ରେନକୁ ଆଲୋଚନା କରିବା ନେଇ ପ୍ରସ୍ତାବ ଦେଇଥିଲେ । ରୁଷ କହିଛି ଯେ, ବେଲାରୁଷରେ ଆସି କଥାବାର୍ତ୍ତ କରାଯାଉ । ତେବେ ରୁଷର ପ୍ରସ୍ତାବକୁ ୟୁକ୍ରେନ ଏଡ଼ାଇ ଦେଇଛି ଓ କହିଛି ଯେ, ବେଲାରୁଷରେ କଥାବାର୍ତ୍ତା ହୋଇପାରିବ ନାହିଁ । ୟୁକ୍ରେନ ନିଜ ପସନ୍ଦର ଏକ ସହରର ନାମ ଦେଇଥିଲା । କିନ୍ତୁ ଏବେସୁଦ୍ଧା କୌଣସି ଆଲୋଚନା କରାଯାଇ ନାହିଁ ।

 

Get real time updates directly on you device, subscribe now.