ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତର ଭାବରେ ରୁଷ ଆକ୍ରମଣ ଜାରି ରଖିଛି । ଏହା ଭିତରେ ପୂରା ଦୁନିଆ ବର୍ତ୍ତମାନ ରୁଷ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି । ଇତି ମଧ୍ୟରେ ଅନେକ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ରୁଷବାସୀଙ୍କ ପାଇଁ ବନ୍ଦ ହୋଇଯାଇଛି । ଫେସବୁକ୍ ଓ ଟୁଇଟର୍ ସହିତ ଏବେ ୟୁଟ୍ୟୁବ୍ ମଧ୍ୟ ଦେଶରେ ବ୍ଲକ୍ କରାଯାଇଛି । ଅଭିଯୋଗ ଅଣାଯାଇଛି ଯେ, ଏହିସବୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ରୁଷୀ ମିଡିଆ କମ୍ପାନୀ ଗୁଡ଼ିକ ସହିତ ଭେଦଭାବପୂର୍ଣ୍ଣ ଆଚରଣ କରୁଛନ୍ତି ।
ସେପଟେ ଫେସବୁକ୍ କହିଛି ଯେ, ରୁଷ ଏହି ପ୍ରତିବନ୍ଧ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପହଞ୍ଚାଇବାରେ ରୋକ୍ ଲଗାଉଛି । ରୁଷ ସରକାରଙ୍କ ସେନ୍ସର୍ ସିପ୍ ଏଜେନ୍ସି ରୋସକୋମ୍ନାଡଜୋର୍ ର କହିବା କଥା ଯେ, ଅକ୍ଟୋବର ୨୦୨୦ରୁ ଫେସବୁକ୍ ଦ୍ୱାରା ରୁଷୀ ମିଡିଆ ବିରୋଧରେ ଭେଦଭାବର ୨୬ଟି ମାମଲା ସାମନାକୁ ଆସିଛି । ଯେଉଁଥିରେ ଆରଟି ଓ ଆରଆଇଏ ଖବର ଏଜେନ୍ସି ଭଳି ସରକାର ସମର୍ଥିତ ଚ୍ୟାନେଲ୍ ର ଆକାଉଣ୍ଟ୍ ରିଚ୍ ହ୍ରାସ କରିବାର ଆରୋପ ଲଗାଯାଇଛି ।