କଟକ (ଭାସ୍କର ନ୍ୟୁଜ୍): ଗତ ଜାନୁଆରୀରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀର ସମେଟିଭ୍ ଆସେସ୍ମେଣ୍ଟ- ୧ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଫଳ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ଏହି ପରୀକ୍ଷାଫଳ ଆସନ୍ତା ସପ୍ତାହରେ ବୋର୍ଡର ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଅବ୍ଜେକଟିଭ୍ରେ ହୋଇଥିଲା । ଓଏମ୍ଆର ସିଟ୍ରେ ହୋଇଥିବା ଏହି ପରୀକ୍ଷାରେ ରାଜ୍ୟର ୫ ଲକ୍ଷ ୭୧ ହଜାର ୯୭୪ ପରୀକ୍ଷାର୍ଥୀ ୩୦୮୫ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଉତ୍ତରଖାତାର ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ଏକ ଫାର୍ମକୁ ଦାୟିତ୍ୱ ଦିଆଯାଇଥିଲା । ଅନ୍ୟପକ୍ଷରେ ସମେଟିଭ୍-୨ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ଶିକ୍ଷାବିତ୍ମାନଙ୍କ ସହ ଆଲୋଚନା କରାଯାଇଛି । ଏଥିୂର୍ବରୁ ଗତ ମାସ ୨୭ ତାରିଖରେ ରାଜ୍ୟର ବିଭିନ୍ନ ଶିକ୍ଷକ ସଂଘ, ଅଭିଭାବକ, ଶିକ୍ଷକ, ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଓ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ଆଲୋଚନା କରାଯାଇ ମତାମତ ସଂଗ୍ରହ କରାଯାଇଛି । ଏହି ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ସରକାର ତାରିଖ ଧାର୍ଯ୍ୟ କରିବା ପରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
Next Post