fbpx

ୟୁକ୍ରେନକୁ ପରାସ୍ତ କରିବା ପରେ ମଧ୍ୟ ଜିତି ପାରିବନି ରୁଷ୍: ଜାଣନ୍ତୁ କ’ଣ କହୁଛି ଆମେରିକାର Plan-B ଓ ଅନ୍ତର୍ଜାତୀୟ ରିପୋର୍ଟ

ନୂଆଦିଲ୍ଲୀ: ଆଜି ୧୨ ଦିନରେ ପହଞ୍ଚିଛି ୟୁକ୍ରେନ-ରୁଷିଆ ଯୁଦ୍ଧ । ଏହା ମଧ୍ୟରେ ଦୁଇପକ୍ଷର ବହୁ ଧନଜୀବନ ହାନୀ ଘଟିଥିବା ବେଳେ ରୁଷ ଉପରେ ବିଶ୍ୱର ଅନେକ ରାଷ୍ଟ୍ର ବିଭିନ୍ନ ପ୍ରକାର କଟକଣା ଲଗାଇଛନ୍ତି । ତେବେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସିକ୍ରେଟର ପର୍ଦ୍ଦାଫାସ ହୋଇଛି । ଯଦି ଯୁଦ୍ଧରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଦୁର୍ଭାଗ୍ୟବଶତଃ ମୃତ୍ୟୁ ଘଟେ, ତେବେ କ’ଣ ହେବ? ଏ କ୍ଷେତ୍ରରେ କ’ଣ ରୁଷର ସମସ୍ତ କାମନା ପୂରଣ ହୋଇପାରିବ? ରୁଷ କ’ଣ ୟୁକ୍ରେନରେ ନିଜ ପସନ୍ଦର ସରକାର ଗଠନ କରିପାରିବ? ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କ ମନ୍ତବ୍ୟ କିନ୍ତୁ ଏହାର ବିପରୀତ ପ୍ରତିକ୍ରିୟା ପ୍ରଦାନ କରୁଛି । ଅର୍ଥାତ ରୁଷ ୟୁକ୍ରେନରେ ଯୁଦ୍ଧ ଜିତିଲେ ମଧ୍ୟ ନିଜର ସ୍ୱପ୍ନକୁ ସାକାର କରିପାରିବ ନାହିଁ ।

ଏହି ଯୁଦ୍ଧ ସମୟରେ ଜେଲେନସ୍କି ଏକପ୍ରକାର ରହସ୍ୟ ମଧ୍ୟରେ ରହିଛନ୍ତି । ସେ କେଉଁଠି ଅଛନ୍ତି କେହି ଜାଣି ନାହାନ୍ତି । ଜେଲେନସ୍କି ଦେଶ ଛାଡ଼ି ଚାଲିଯାଇଛନ୍ତି ବୋଲି ରୁଷ ଅଭିଯୋଗ କରିଥିଲା, ମାତ୍ର ତାହାକୁ ଜେଲେନସ୍କି ଖଣ୍ଡନ କରିଥିଲେ । ତେବେ ଯଦି ୟୁକ୍ରେନ ସେନା ରୁଷ ଠାରୁ ପରାଜୟବରଣ କରେ, ତେବେ ପୋଲାଣ୍ଡରୁ ନିର୍ବାସିତ ସରକାର କାର୍ଯ୍ୟ କରିବ ବୋଲି ଏକ ଅନ୍ତର୍ଜାତୀୟ ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଛି । ଆଣ୍ଟୋନି ଏ ବାବଦରେ ଅଧିକ କହିବାକୁ ମନା କରିଥିଲେ । ମାତ୍ର ୟୁକ୍ରେନ ଯୁଦ୍ଧରେ ପରାଜିତ ହେବା ପରେ ବି ସରକାର ଜାରି ରହିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି ।

ତେବେ ୟୁକ୍ରେନ ସମ୍ବିଧାନ ଅନୁଯାୟୀ, ଯଦି ପଦରେ ଥିବା ସମୟରେ ଉକ୍ତ ଦେଶର ରାଷ୍ଟ୍ରପତିଙ୍କ ମୃତ୍ୟୁ ଘଟେ, ତେବେ ସେ କ୍ଷେତ୍ରରେ ସଂସଦର ଚେୟାରମ୍ୟାନ ଉକ୍ତ ସ୍ଥାନରେ ନିଯୁକ୍ତି ପାଇବେ । ବର୍ତ୍ତମାନ ରୁସ୍ଲାନା ଷ୍ଟେଫନଚୁକ ୟୁକ୍ରେନର ସଂସଦ ଭରଖୋଭ୍ନା ରାଡାର ଅଧ୍ୟକ୍ଷ ରହିଛନ୍ତି । ତେଣୁ ଯଦି ଜେଲେନସ୍କିଙ୍କ ମୃତ୍ୟୁ ଘଟେ ଏପରି ସ୍ଥଳେ ରୁସ୍ଲାନା ଦେଶର ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବେ ।

Get real time updates directly on you device, subscribe now.