ନୂଆଦିଲ୍ଲୀ: ଯୁଗ ବଦଳିବା ସହିତ ସମାଜରେ ମହିଳାଙ୍କ ଭୂମିକାରେ ମଧ୍ୟ ପରିବର୍ତ୍ତନ ଘଟୁଛି । ନିକଟରେ ସମଗ୍ର ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି । ତେବେ ଏହା ପୂର୍ବରୁ ମହିଳା ମାନଙ୍କ ଆବିଷ୍କାର କିଭଳି ମାନବ ଜୀବନକୁ ସହଜ ଓ ସରଳ କରିଛି ତାହା ଉପରେ ଆସନ୍ତୁ ଆଲୋଚନା କରିବା ।
ଆଲିସ୍ ଏଚ୍ ପାର୍କର: ଆଲିସ୍ ଏଚ୍ ପାର୍କର ମାତ୍ର ୨୫ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ । ତେବେ ସେଣ୍ଟ୍ରାଲ ହିଟିଂ ପରି ବ୍ୟବସ୍ଥାର ଉଦ୍ଭାବନ ପାଇଁ ପାର୍କର ସର୍ବଦା ମନେ ରହିବେ । ୧୯୧୯ରେ ପାର୍କର ଏକ ଗ୍ୟାସ ଫର୍ଣ୍ଣେସରୁ ଡକ୍ଟ ଜରିଆରେ ବିଲ୍ଡିଂକୁ ଉତ୍ତାପ ପ୍ରଦାନ ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ରହିଥିବା ସେଣ୍ଟ୍ରାଲ ହିଟିଂ ବ୍ୟବସ୍ଥାରେ ପାର୍କରଙ୍କ କୌଶଳ ବ୍ୟବହାର କରାଯାଇଥାଏ ।
ଶିରଲି ଆନ୍ ଜାକସନ୍: ଟେଲିକମ ଜଗତରେ ବିପ୍ଲବ ଆଣିଥିବା ଜ୍ୟାକସନ୍ ପେଶାରେ ଜଣେ ଥିଓରିଟିକାଲ ପଦାର୍ଥ ବିଜ୍ଞାନୀ । ତେବେ ଏକାଧିକ ଟେଲି କମ୍ୟୁନିକେସନ୍ ବୈଷୟିକ କୌଶଳରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲେ ଜାକସନ୍ । କଲର ଆଇଡି ଓ କଲ୍ ୱେଟିଂ ପରି ଫିଚର ଏହି ମହିଳା ଜଣଙ୍କ ଉଦ୍ଭାବନ କରିଥିଲେ ।
ହେଡି ଲେମର: ଏହି ସୁନ୍ଦରୀ ଅଭିନେତ୍ରୀ ଜଣଙ୍କ ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ସାମରିକ ଶକ୍ତିଙ୍କୁ ବେଶ ସହାୟତା କରିଥିଲେ । ନିଜର ଏକ କମ୍ୟୁନିକେସନ ସିଷ୍ଟମ ବିକାଶ କରିଥିଲେ ଲେମର । ଏହା ଦ୍ୱାରା ଧରା ନପଡି ପରସ୍ପର ସହିତ କଥା ହେଇ ପାରୁଥିଲେ ସୈନିକ । ପରବର୍ତ୍ତୀ ସମୟରେ ଲେମରଙ୍କ ଆବିଷ୍କାର ୱାଇଫାଇ ଓ ଜିପିଏସ୍ ପରି କୌଶଳ ପାଇଁ ରାସ୍ତା ପ୍ରସଶ୍ତ କରିଥିଲା ।
ଏଲିଜାବେଥ୍ ମ୍ୟାଗି: ପ୍ରସିଦ୍ଧ ବୋର୍ଡ ଗେମ୍ ମନୋପଲି ପ୍ରଥମେ ଜଣେ ମହିଳାଙ୍କ ମସ୍ତିଷ୍କରୁ ସୃଷ୍ଟି ହୋଇଥିଲା । ଏଲିଜାବେଥ୍ ମ୍ୟାଗି ଏହି ପ୍ରସିଦ୍ଧ ଲ୍ୟାଣ୍ଡଲର୍ଡସ ଗେମ୍ ୧୯୦୪ରେ ଆବିଷ୍କାର କରିଥିଲେ । ୩୦ ବର୍ଷ ପରେ ମ୍ୟାଗିଙ୍କ ଗେମକୁ ଜଣେ ବ୍ୟକ୍ତି ପ୍ୟାଟେଣ୍ଟ କରିଥିଲେ ।
ଲେଟିଟିଆ ଗିଅର୍: କୌଣସି ବି ରୋଗ ହୋଇଥିଲେ ଡାକ୍ତର ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଥାନ୍ତି । ତେବେ ଏହାର ଆବିଷ୍କାର ଲେଟିଟିଆ ଗିଅର ନାମକ ଜଣେ ମହିଳା କରିଥିଲେ । ୧୮୯୯ରେ ଲେଟିଟିଆ ଏକ ହାତିଆ ସିରିଞ୍ଜର ଆବିଷ୍କାର କରିବା ସହିତ ଚିକିତ୍ସା ବିଜ୍ଞାନରେ ବିପ୍ଲବ ଆଣିଥିଲେ ।
ଯୋଶେଫିନ୍ କୋଚ୍ରାନ: ଡିଶ୍ ୱାସର୍ ବା ଯେଉଁଥିରେ ଏକା ସାଥୀରେ ଅନେକ ବାସନ ଧୋଇ ହୋଇଥାଏ । ଏହାକୁ ଆବିଷ୍କାର କରିଥିଲେ ଯୋଶେଫିନ୍ କୋଚ୍ରାନ । ଏହାର ଏକାଧିକ ପ୍ରୋଟୋଟାଇପ୍ ଆସିଥିଲେ ହେଁ କୋଚ୍ରାନଙ୍କୁ ଏହାର ପ୍ରଥମ ଆବିଷ୍କାରକ ଭାବରେ ବିବେଚନା କରାଯାଏ ।