fbpx

୨୦୨୪ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବ କିଏ: କେଜ୍ରିୱାଲ-ମମତା-ରାହୁଲ?

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୫ଟି ବିଧାନସଭା ନିର୍ବାଚନ ପରେ ବିଜେପି ୪ଟିରେ ଓ ଆମ ଆଦମୀ ପାର୍ଟି (ଆପ) ଗୋଟିଏ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି । ତେବେ ବିଜେପି ପୂର୍ବରୁ ଏକ ରାଷ୍ଟ୍ରୀୟ ଦଳ ହୋଇଥିବା ବେଳେ ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଦଖଲ କରିଛି ଆପ୍ । ଏଥିସହ ଆପର ହାଇକମାଣ୍ଡ ଅରବିନ୍ଦ କେଜ୍ରିୱାଲ ଏହା ମଧ୍ୟରେ ନିଜକୁ ଜଣେ ରାଷ୍ଟ୍ରୀୟ ଚେହେରା ଭାବେ ସାବ୍ୟସ୍ତ କରିପାରିଛନ୍ତି । ତେବେ ୨୦୨୪ ଫାଇନାଲରେ ମୋଦୀଙ୍କର ମୁଖ୍ୟ ଟକ୍କର କାହା ସହ ହେବ? ଏହି ରେସରେ ପୂର୍ବରୁ ରହିଥିଲେ ମୁଖ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତୃତୀୟ ନେତା ଭାବେ କେଜ୍ରିୱାଲ ଏହି ଦୌଡ଼ରେ ସାମିଲ ହେବା ସହ ସବୁଠୁ ଆଗରେ ରହିଛନ୍ତି ।

ତେବେ ଆଗକୁ କ’ଣ ହେବ ଆପର ରଣନୀତି । ଫାଇନାଲ ଲଢ଼େଇ ପାଇଁ ଆଉ ପାଖାପାଖି ଦୁଇବର୍ଷ ଥିବାବେଳେ ଏହି ସ୍ୱଳ୍ପ ଅବଧି ମଧ୍ୟରେ କ’ଣ କେଜ୍ରି ନିଜକୁ ମୋଦିଙ୍କର ବିକଳ୍ପ ଭାବେ ଉପସ୍ଥାପିତ କରିପାରିବେ? ଏନେଇ ଅନେକ ରାଜନୈତିକ ବିଶ୍ଲେଷକ ଭିନ୍ନ ମତ ରଖୁଛନ୍ତି । ତେବେ ୨୦୨୪ରେ ମୋଦୀଙ୍କୁ ଟକ୍କର ଦେବା ବୋଧହୁଏ କେଜ୍ରିଙ୍କ ପାଇଁ ଏତେ ସହଜ ହୋଇନପାରେ । କାହିଁକି ନୁହେଁ, ଜାଣନ୍ତୁ ଏହା ପଛର ୧୦ଟି କାରଣ ।

୧- ବିପକ୍ଷ ମହାମେଣ୍ଟର କୌଣସି ଠିକ ଠିକଣା ନାହିଁ । ମମତା, ରାହୁଲଙ୍କର ପରସ୍ପର ମଧ୍ୟରେ ତାଳମେଳ ରହୁନଥିବା ବେଳେ ସେମାନେ କିପରି କେଜ୍ରିଙ୍କୁ ସର୍ବମାନ୍ୟ ନେତା ଭାବେ ଗ୍ରହଣ କରିବେ?

୨- ବିରୋଧୀ ମହାମେଣ୍ଟରେ କଂଗ୍ରେସ ଏକମାତ୍ର ଜାତୀୟ ରହିଥିବା ବେଳେ ସେ କେବେ ବି ଅନ୍ୟମାନଙ୍କୁ ଆଗକୁ ଯିବାକୁ ବାଟ ଛାଡ଼ିବ ନାହିଁ ।

୩- ହୋଇପାରେ କେଜ୍ରି ଜଣେ ବିଚକ୍ଷଣ ରାଜନେତା । ମାତ୍ର ଏତେ କମ୍ ସମୟ ମଧ୍ୟରେ ଆପକୁ ଭାରତବର୍ଷରେ ବିସ୍ତାର କରିବ ଅସମ୍ଭବ ହୋଇପଡ଼ିବ ।

୪- ଆପ ବିଧାନସଭାରେ ଯେତିକି ସଫଳତା ହାସଲ କରୁଛି, ଲୋକସଭା ନିର୍ବାଚନରେ ଅନୁରୂପ ମାତ୍ରାରେ ହାସଲ କରିବାରେ ଅସମର୍ଥତା ପ୍ରକାଶ କରୁଛି ।

୫- ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଉକ୍ତ ରାଜ୍ୟଗୁଡ଼ିକର ଫଳାଫଳରୁ ଆପର ଭବିଷ୍ୟତ କିଛି ମାତ୍ରାରେ ସ୍ପଷ୍ଟ ହୋଇଯିବ ।

୬- ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା କିଛି ରାଜ୍ୟରେ ବିଜେପି-କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହେବ । ଉକ୍ତ ରାଜ୍ୟରେ ଆପ କିପରି ଫାଇଟ କରୁଛି ତାହା ଉପରେ ସଭିଙ୍କ ନଜର ରହିବ ।

୭- ଦିଲ୍ଲୀ ପରେ ଆପ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବରେ ଶାସନ ହାତେଇଛି । ତେଣୁ ଆପର ଫ୍ୟୁଚର ପ୍ଲାନ କ’ଣ ରହିଛି, ତାହା ଆକଳନ କରିବା ଅସମ୍ଭବ ।

୮- କେବଳ ଗୋଟିଏ ବିଧାନସଭାରେ ବହୁମତ ହାସଲ କରିଦେଲେ ଜଣେ ରାତାରାତି ଜାତୀୟ ସ୍ତରରେ ସଫଳତା ପାଇଯିବ ନାହିଁ । ଏଥିପାଇଁ ଧୈର୍ଯ୍ୟ ଦରକାର, ସମୟ ଦରକାର ।

୯- ଅନେକ ସମୟରେ ପୂର୍ବରୁ କ୍ଷମତାରେ ଥିବା ଦଳ ଉପରେ ବିତସ୍ପୃହ ହୋଇ ଜନସାଧାରଣ ନୂଆ ଦଳକୁ ଭୋଟ ଦେଇଥାନ୍ତି । ଲୋକମାନେ ଆପକୁ ପ୍ରକୃତରେ ସମର୍ଥନ କରୁଛନ୍ତି କି ଅନ୍ୟ ଦଳ ଉପରେ ବିରୋଧାଭାସର ପ୍ରତିଫଳନ?

୧୦- ଆଗକୁ ବଢ଼ିବାକୁ ହେଲେ ଆପକୁ ଆଗାମୀ ଦିନରେ ପ୍ରଥମେ କଂଗ୍ରେସ ଓ ଟିଏମସି ସହ ଟକ୍କର ଦେବାକୁ ପଡ଼ିବ ।

Get real time updates directly on you device, subscribe now.