ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଥିବା ବିଧାୟକଙ୍କ ମା ଆଜିବି କରୁଛନ୍ତି ସ୍କୁଲରେ ସଫେଇ କାମ । ପୁଅର ବିଜୟ ପରେ ବି ବଦଳିନି ମାଆଙ୍କ ଜୀବନଶୈଳୀ… ଏବେବି ସେତ ସ୍କୁଲରେ ଝାଡ଼ୁମାରୁଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନରେ ଇତିହାସ ରଚିଛି ଆମ୍ ଆଦମୀ ପାର୍ଟି ବା ଆପ୍ । ପଞ୍ଜାବ ଆସନକୁ ହାତେଇବା ପରେ ପ୍ରତିଟି ଆପ୍ ପ୍ରାର୍ଥୀ ସେଲିବ୍ରେସନରେ ମାତିଛନ୍ତି । ପଞ୍ଜାବ ନିର୍ବାଚନରେ ଜିତିଥିବା ଅନେକ ଆପ୍ ପ୍ରାର୍ଥୀଙ୍କ ବ୍ୟାକଗ୍ରାଉଣ୍ଡ ଖୁବ୍ ସାଧାରଣ । ସେଥିମଧ୍ୟରୁ ଅନ୍ୟତମ ପ୍ରାର୍ଥୀ ହେଉଛନ୍ତି ଲଭ୍ ସିଂ ଉଗୋକେ । ଯିଏ ରାଜନୀତି ମଇଦାନରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କୁ ମାତ୍ ଦେଇଛନ୍ତି ।
ପଞ୍ଜାବର ବର୍ନାଲା ଜିଲ୍ଲାରେ ଲଭ୍ ସିଂ ଏକ ଛୋଟିଆ ମୋବାଇଲ୍ ମରାମତି ଦୋକାନଟିଏ କରିଛନ୍ତି । ଆଉ ତାଙ୍କ ମାଆ ବଲଦେବ କୌର୍ ଗାଁର ଏକ ସ୍କୁଲରେ ସୁଇପର୍ ଭାବେ କରୁଛନ୍ତି । ପୁଅ ଏବେ ବିଧାୟକ ହୋଇଥିବାରୁ ମାଆର ଖୁସି ନ କହିଲେ ସରେ । କିନ୍ତୁ ପୁଅର ଏତେ ବଡ଼ ସଫଳତା ସତ୍ୱେ ତାଙ୍କ ପରିବାରର ସାଧାରଣ ଜୀବନଶୈଳୀରେ କୌଣସି ପରିବର୍ତ୍ତନ ଆସିନାହିଁ । ଯେଉଁ ଝାଡ଼ୁରେ ସେ ସ୍କୁଲ ଅଗଣାର ସଫେଇ କରନ୍ତି, ସେହି ଝାଡ଼ୁ ଆଜି ପୁଅକୁ ଏତେ ବଡ଼ ସଫଳତା ଦେଇଥିବାରୁ ମାଆ ବଲଦେବ ବହୁତ ଖୁସି ।
ମାଆ ବଲଦେବ କହିଛନ୍ତି, ଯେତେବେଳେ ତାଙ୍କୁ ଘର ଚଳାଇବା କଷ୍ଟକର ଥିଲା, ସେହି ସମୟରେ ଝାଡ଼ୁ ହିଁ ତାଙ୍କ ପରିବାରକୁ ସାଥ୍ ଦେଇଥିଲା । ଆଉ ଆଜି ସେହି ଝାଡ଼ୁ ତାଙ୍କ ପୁଅକୁ ବିଧାନସଭା ନିର୍ବାଚନ ଜିତାଇ ନୂଆ ପରିଚୟ ପ୍ରଦାନ କରିଛି । ଆଉ ଏହି ଝାଡ଼ୁ ତଙ୍କ ଜୀବନର ଏକ ଅଂଶ ହୋଇ ରହିବ ବୋଲି କହିଛନ୍ତି ଲଭ୍ ସିଂଙ୍କ ମାଆ କହିଛନ୍ତି । ପଞ୍ଜାବର ଭଦୌର ବିଧାନସଭା ଆସନରେ ଲଭ୍ ସିଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ୩୭ହଜାରରୁ ଅଧିକ ବ୍ୟବଧାନରେ ହରାଇଛନ୍ତି ।