fbpx

ଓଡ଼ିଶାର ନେତାମାନେ ରାଜ୍ୟ ବାହାରେ କମାଲ୍ କରୁଛନ୍ତି, କିନ୍ତୁ ନିଜ ରାଜ୍ୟରେ ମ୍ୟାଜିକ୍ ଦେଖାଇ ପାରୁନାହାନ୍ତି, କାହିଁକି

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଦୁଇଟି ଟର୍ମ ପୂରଣ କରିବାକୁ ଯାଉଛି । ଏଥିସହ ଗୋଟିକ ପରେ ଗୋଟିଏ ରାଜ୍ୟରେ ଗେରୁଆ ବାନା ଉଡ଼ାଇବାରେ ସକ୍ଷମ ହୋଇଛି । ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ୪ଟିରେ ବିଜୟ ହାସଲ କରିଛି । ତେବେ ସମଗ୍ର ଦେଶରେ ନରେନ୍ଦ୍ର ମୋଦୀଙ୍କ ଲହରୀ ଯେ ଏବେ ଜାରି ରହିଛି, ତାହା ଆମ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ । ଅନ୍ୟପଟେ ଆମ ରାଜ୍ୟ ଓଡ଼ିଶାରେ ବିଜେପିର ମ୍ୟାଜିକ ଦେଖିବାକୁ ମିଳୁନାହିଁ ।

ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେଡି ବିଶାଳ ବିଜୟ ହାସଲ କରିଥିବା ବେଳେ ବିରୋଧୀ ବିଜେପି ଅଣ୍ଟା ଭାଙ୍ଗି ପଡ଼ିଥିଲା । ଆଉ କିଛିଦିନ ପରେ ପୌର ନିର୍ବାଚନ ହେବାକୁ ଯାଉଛି । ସେଥିରେ ବିଜେପି କ’ଣ କରିବ ତାହା ଏବେଠାରୁ ଜଳ ଜଳ ହୋଇ ଦିଶିଲାଣି । ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ଦାୟିତ୍ୱରେ ରହି ଦଳକୁ ବିଜୟ କରାଇବାର ମୁଖ୍ୟ ବିନ୍ଧାଣି ସାଜିଛନ୍ତି । ପୂର୍ବରୁ ବିହାରର ପ୍ରଭାରୀ ଭାବେ କାର୍ଯ୍ୟ କରି ଧର୍ମେନ୍ଦ୍ର ଆଖିଦୃଶିଆ କାର୍ଯ୍ୟ କରିଥିଲେ । ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆସାମର ପ୍ରଭାରୀ ଦାୟିତ୍ୱରେ ରହି ଭାଜପାକୁ ମ୍ୟୁନିସିପାଲିଟି ନିର୍ବାଚନରେ ବଡ଼ ବିଜୟ ଭେଟି ଦେଇଛନ୍ତି । ଏହି ଦୁଇ ନେତା ବର୍ତ୍ତମାନ ବିଜେପି ହାଇକମାଣ୍ଡଙ୍କ ଗୁଡ୍ ବୁକରେ ରହିଛନ୍ତି ।

ତେବେ ମୋଟ ଉପରେ କହିବାକୁ ଗଲେ, ଓଡ଼ିଶାରେ ଏହି ଦୁଇ ନେତାଙ୍କ ବ୍ୟତୀତ ଅନେକ ବରିଷ୍ଠ ପାରଙ୍ଗମ ନେତାମାନେ ରହିଛନ୍ତି । ଦୁଃଖର କଥା ଏଠାରେ କୌଣସି ନେତାଙ୍କର ମ୍ୟାଜିକ୍ କାମ କରୁନି । କ’ଣ ହୋଇପାରେ ଏହା ପଛର କାରଣ? ସୁଚିନ୍ତିତତ ରଣନୀତିର ଅଭାବ, ଗୋଷ୍ଠୀ କନ୍ଦଳ ନା ଆଉ କିଛି? ତେବେ ଓଡ଼ିଶାର ଏଇ ହେଭିୱେଟମାନେ ରାଜ୍ୟ ବାହାରେ ବିଜେପିର ବିଜୟର ବାନା ଉଡ଼ାଉଥିବା ବେଳେ ନିଜ ରାଜ୍ୟରେ କିନ୍ତୁ ଦଳକୁ ଉଠାଇ ପାରୁନାହାନ୍ତି । କେନ୍ଦ୍ରୀୟ ନେତୃତ୍ୱ ବୋଧହୁଏ ହସ୍ତକ୍ଷେପ ରାଜ୍ୟରେ ବିଜେପି ଉଦ୍ଧ୍ୱର୍ମୁଖୀ ହୋଇପାରନ୍ତା । ଏନେଇ ସାଧାରଣରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.