fbpx

ସରିଲା ନିର୍ବାଚନ ପ୍ରଚାର, କାଲି ୧୦୬ ପୌରପାଳିକା, ୩ ମହାନଗର ପାଇଁ ହେବ ମତଦାନ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ରାଜ୍ୟର ୧୦୬ ମ୍ୟୁନିସିାଲିଟି ଓ ଏନ୍‌ଏସି ଏବଂ ୩ଟି ମହାନଗର ନିଗମରେ ଭୋଟ ଗ୍ରହଣ କରାଯିବ । ଏଥିନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଙ୍ଗଳବାର ଶେଷ ଦିବସରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଇଥିଲା । ମଙ୍ଗଳବାର ସନ୍ଧ୍ୟା ପରେ କୌଣସି ରାଜନୈତିକ ଦଳର ପ୍ରାର୍ଥୀ କୌଣସି ପ୍ରକାର ସଭାସମିତି ଓ ପ୍ରଚାର କରିାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।

ମଙ୍ଗଳବାର ସବୁ ଦଳର ହେଭିୱେଟ ଓ ସେଲିବ୍ରେଟି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ । ବିଶେଷକରି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ହାଇଭୋଲଟେଜ୍‌ ପ୍ରଚାର ଦେଖିବାକୁ ମିଳିଥିଲା । ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ପ୍ରଚାରରେ ବିଜେଡି ବହୁ ଆଗରେ ଥିବାବେଳେ ବିରୋଧୀ ମଧ୍ୟ ପଛରେ ପଡ଼ି ନଥିଲେ । ବିରୋଧୀଦଳ ଶାସକଦଳକୁ ଟକ୍କର ଦେବାପାଇଁ ରଣନୀତି ପ୍ରସ୍ତୁତ କରୁଥିବା ମଧ୍ୟ ସୂଚନା ମିଳିଛି ।

ଅନ୍ୟପକ୍ଷରେ ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିବ । ୨୬ ତାରିଖ ସକାଳ ୮ଟାରୁ ଭୋଟଗଣତି କରାଯାଇ ଫଳ ପ୍ରକାଶ କରାଯିବ । ଏଥର ପ୍ରତି ବୁଥ୍‌ରେ ଦୁଇଟି ଲେଖାଏଁ ଇଭିଏମ୍‌ ରଖାଯିବାର ବ୍ୟବସ୍ଥା କରାଯାଇଛି । ଗୋଟିଏ ଇଭିଏମ୍‌ରେ କାଉନସିଲର ଓ କର୍ପୋରେଟ୍‌ରଙ୍କ ପାଇଁ ମତଦାନର ବ୍ୟବସ୍ଥା କରାଯାଇଥିବାବେଳେ ଅନ୍ୟ ଇଭିଏମ୍‌ଟିରେ ମେୟର ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ଭୋଟ ଗ୍ରହଣ କରାଯିବ । ପୌର ଅଧ୍ୟକ୍ଷ ଓ ମେୟର ପଦବୀ ପାଇଁ ୫୬୯ଜଣ ପ୍ରାର୍ଥୀ ରହିଥିବାବେଳେ କାଉନସିଲର ଓ କର୍ପୋରେଟର ପାଇଁ ୫୮୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମ୍ୟୁନିସିପାଲିଟି ଓ ଏନଏସି ପାଇଁ ୨୯୮୯ ବୁଥ୍‌ ସ୍ଥାପନ କରାଯାଇଥିବା ବେଳେ ୩ଟି ମହାନଗର ନିଗମ ପାଇଁ ୧୩୮୪ଟି ବୁଥ୍‌ ସ୍ଥାପନ କରାଯାଇଛି । ମୋଟ ୪୦ଲକ୍ଷ ୫୫ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୨୨ହଜାର ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାୟ ୧୯୫ ପ୍ଲାଟୁନ୍‌ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.