fbpx

ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ପ୍ରଗତି ପାଇଁ ପ୍ରତିବଦ୍ଧତା ଜରୁରି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ବିକାଶର ଧାରା ଜାରି ରହିଛି । ଲୋକଙ୍କ ଆର୍ଥିକ ମାନଦଣ୍ଡର ଉନ୍ନତି ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ପ୍ରଣୟନ କରାଯାଇ ଲୋକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ଚେଷ୍ଟା ଅବ୍ୟାହତ ରହିଛି । ଏ କ୍ଷେତ୍ରରେ ପ୍ରଗତି ପାଇଁ ଅଧିକ ପ୍ରତିବଦ୍ଧତା ଜରୁରି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରବିବାର ରାଜ୍ୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ କର୍ମଚାରୀ ସଂଘ କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପରାମର୍ଶ ଦେବା ସହ ରାଜ୍ୟର ବିକାଶ ଓ ପ୍ରଗତି ପାଇଁ ଦୃଢତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି ।

ରବିବାର ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ଆଖିଦୃଶିଆ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ ମୁଖ୍ୟ ଶାସନସଚିବ ସୁରେଶ ମହାପାତ୍ର, ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା । ଅନ୍ୟପକ୍ଷରେ ବିଭିନ୍ନ ବିଭାଗର ପଦାଧିକାରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏମାନଙ୍କ ବାଦ୍‌ ବିଭିନ୍ନ ସଂଘର କର୍ମକର୍ତ୍ତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ସଫଳତା ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ । ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥିଲେ । ଅନ୍ୟପକ୍ଷରେ କଟକ ଓ ବ୍ରହ୍ମୁରର ନବନିର୍ବାଚିତ ମେୟର ସୁବାସ ସିଂ ଓ ସଂଘମିତ୍ରା ଦଳାଇ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ଦଳର ସଫଳତା ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ସିଏମ୍‌ସିର ବିଜୟୀ ବିଜେଡି କର୍ପୋରେଟରମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

Get real time updates directly on you device, subscribe now.