ରାତିରେ ତାପମାତ୍ରା ୧ ଡିଗ୍ରୀ ବଢ଼ିଲେ ପୁରୁଷଙ୍କର ମୃତ୍ୟୁ ସମ୍ଭାବନା ୪ ପ୍ରତିଶତ ବଢ଼ିଥାଏ, ଜାଣନ୍ତୁ ମହିଳାଙ୍କୁ ନେଇ କ’ଣ କହୁଛି ଷ୍ଟଡି ରିପୋର୍ଟ
ବର୍ତ୍ତମାନ ଗରମ ସିଜିନ୍ ଚାଲିଥିବା ବେଳେ କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି । ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଥଣ୍ଡାଜାତୀୟ ଜିନିଷ ସେବନ କରୁଥିବା ବେଳେ ଥଣ୍ଡା ସ୍ଥାନରେ ରହିବାକୁ ପସନ୍ଦ କରିଥାନ୍ତି । ଅତ୍ୟଧିକ ଗରମ କାରଣରୁ ମୁଣ୍ଡ ବୁଲାଇବା, ଅଂଶୁଘାତ ଆଦି ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । ତେବେ ଆପଣମାନେ ଜାଣନ୍ତି କି ତାପମାତ୍ରା ବୃଦ୍ଧି ପାଇବା ଆପଣଙ୍କର ଜୀବନ ନେଇପାରେ । ରାତିରେ ତାପମାତ୍ରା ବୃଦ୍ଧି ପାଇଲେ ପୁରୁଷଙ୍କର ମୃତ୍ୟୁର ସମ୍ଭାବନା ବଢ଼ିଥାଏ ବୋଲି ଏକ ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି ।
ଷ୍ଟଡି ମୁତାବକ, ତାପମାତ୍ରା କେବଳ ୧ ଡିଗ୍ରୀ ସେଲସିୟର ବୃଦ୍ଧି ହେବା ଦ୍ୱାରା ହୃଦ୍ ସମ୍ବନ୍ଧୀୟ ବୀମାରୀର ଆଶଙ୍କା ୪ ପ୍ରତିଶତ ବୃଦ୍ଧି ପାଇଥାଏ । ବିଶେଷ କରି ରାତିରେ ତାପମାତ୍ରା ବଢ଼ିଲେ ଏହି ବିପଦ କେବଳ ପୁରୁଷଙ୍କ କ୍ଷେତ୍ରରେ ଆସିଥାଏ । ଅନ୍ୟପକ୍ଷରେ ମହିଳାଙ୍କ କ୍ଷେତ୍ରରେ ଏହାର କୌଣସି ପ୍ରଭାବ ନାହିଁ ବୋଲି ଜଣାପଡ଼ିଛି । ପୂର୍ବ ଷ୍ଟଡି ମୁତାବକ, ଗରମ ମୌସମ କାରଣରୁ ହୃଦ ରୋଗ ସମସ୍ୟା ଅଧିକ ବଢ଼ିଥାଏ । ୨୦୦୧ରୁ ୨୦୧୫ ମଧ୍ୟରେ ଇଂଲଣ୍ଡ ଓ ୱେଲ୍ସରେ ହୃଦ ରୋଗରେ ୩୯,୯୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଜଣାପଡ଼ିଥିଲା ଯେ, ଇଂଲଣ୍ଡ ଓ ୱେଲ୍ସରେ ତାପମାତ୍ରା ୧ ଡିଗ୍ରୀ ବୃଦ୍ଧି ଦ୍ୱାରା ୬୦ରୁ ୬୪ ବର୍ଷର ପୁରୁଷଙ୍କ ଠାରେ ହୃଦ ରୋଗ ସମସ୍ୟା ୩.୧ ପ୍ରତିଶତ ବୃଦ୍ଧି ପାଇଥାଏ । ଏହି ବର୍ଗରେ ବୟସ୍କ ବ୍ୟକ୍ତି ଓ ମହିଳାଙ୍କୁ ସାମିଲ କରାଯାଇ ନଥିଲା ।
ହୃଦରୋଗର ଶିକାର ହେଲେ ଜଣେ ବ୍ୟକ୍ତିଠାରେ ହାର୍ଟ ଆଟାକ୍ ଓ କାର୍ଡିଆକ୍ ଆରେଷ୍ଟ ଦେଖିବାକୁ ମିଳିଥାଏ । ଏକ୍ସପର୍ଟଙ୍କ ମତରେ, ରାତିରେ ଝାଳ ବୋହିବା, ଛାତି ଟାଣିବା, ଅଶାନ୍ତ ମନୋଭାବ ପରି ଲକ୍ଷଣ ହାର୍ଟ ଆଟାର୍କର ସଙ୍କେତ ହୋଇପାରେ । ଇଂଲଣ୍ଡରେ ପ୍ରତ୍ୟେକ ବର୍ଷ ପାଖାପାଖି ୮୦ ହଜାର ଲୋକ ହାର୍ଟ ଆଟାକର ଶିକାର ହୋଇ ହସ୍ପିଟାଲକୁ ଯାଇଥାନ୍ତି । ତେଣୁ ଏହାର ପ୍ରାରମ୍ଭିକ ଲକ୍ଷଣକୁ ଅଣଦେଖା କରିବା ଅନୁଚିତ୍ ।