fbpx

ଶେଷରେ ସତ ଓଗାଳିଲେ ରଞ୍ଜନ: ଜାଣନ୍ତୁ କିପରି କରିଥିଲେ ମାନସଙ୍କ ହତ୍ୟା?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାର ସତ ସାମ୍ନାକୁ ଆସିଛି । ମାନସଙ୍କ ହତ୍ୟା ଘଟଣାକୁ ନେଇ ବଡ଼ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ହତ୍ୟା ନେଇ ଅଭିଯୁକ୍ତ ରଞ୍ଜନ ନାୟକ ସବୁ ସତ ମାନିଥିବା କ୍ରାଇମବ୍ରାଞ୍ଚ କହିଛି । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ସେ ମାନସକୁ ଅପହରଣ କରିଥିବା ସ୍ୱୀକାର କରିଛି ।

ରଞ୍ଜନଙ୍କ କହିବା ମୁତାବକ, ପଳାସପୁରରୁ ସେମାନଙ୍କ ଅପହରଣ ପରେ ଦୟାଲ ଆଶ୍ରମ ନିଆଯାଇଥିଲା । ଆଶ୍ରମରେ ନିରଞ୍ଜନ ସେଠୀ ଓ ଅନ୍ୟମାନେ ମାନସଙ୍କୁ ପିଟିଥିଲେ । ପିଟି ପିଟି ହତ୍ୟା କରିବା ପରେ ଶର୍ମିଷ୍ଠାଙ୍କ କାରରେ ମାନସଙ୍କ ଶବକୁ ରଣପୁର ନେଇଥିଲେ । ନୟାଗଡ଼ ରଣପୁର ଅଞ୍ଚଳରେ ଶବ ପୋତିବା ପରେ ସେଠୁ ଫେରିଥିଲେ । ଫେରିବା ବେଳେ ଚଣ୍ଡିଖୋଲ ନିକଟରେ ମାନସର ଜିନିଷପତ୍ର ପୋଡ଼ିଥିଲେ । ମାନସଙ୍କ ଇୟର ଫୋନ୍, ଚପଲ, ଶବ ନେଇଥିବା ଅଖାରେ ସେମାନେ ପୋଡ଼ିଥିଲେ । ଗାତ ଖୋଳିଥିବା କୋଦାଳ, ଗଇଁତିକୁ ସେଠାରେ ବୁଦାମୂଳେ ଫିଙ୍ଗିଦେଇଥିଲେ ।

ତେବେ ରଞ୍ଜନଠାରୁ ସତ ଶୁଣିବା ପରେ ଆଜି ସ୍ପଟକୁ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ । ସାଥିରେ ରଞ୍ଜନଙ୍କୁ ଧରି ଚଣ୍ଡିଖୋଲ ନିକଟ ସ୍ପଟକୁ ଟିମ୍ ଯାଇଥିବା ସୂଚନା ମିଳିଛି । ସେଠାରୁ ମାନସଙ୍କ ଦରପୋଡ଼ା ଇୟର ଫୋନ୍ ଓ ଚପଲ ମିଳିଥିଲା । ଏହା ସହ କୋଦାଳ, ଗଇଁତି ଓ ଦରପୋଡ଼ା ଅଖା ମିଳିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।

Get real time updates directly on you device, subscribe now.