ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ BJP ପାଖରେ ନାହିଁ ଆବଶ୍ୟକ ଅଙ୍କ: ୨୦୧୨ର ଗେମ୍ ଖେଳିବ କି BJD, ଶନିଦଶା ଭୋଗିବ NDA
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେବ । ତେବେ ନିକଟରେ ୪ଟି ରାଜ୍ୟରେ ବିଜେପି ସରକାର ଗଠନ କରିସାରିବା ପରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଙ୍କ କଷିବା ଆରମ୍ଭ କରିଦେଇଛି । କେନ୍ଦ୍ରରେ ବିଜେପିର ମଜବୁତ ସରକାର ରହିଥିଲେ ହେଁ ରାଷ୍ଟ୍ରପତି ନିର୍ବାଚନରେ ଜିତିବା କ୍ଷେତ୍ରରେ କିଛି ଭୋଟରେ ପଛରେ ରହିଛି । ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ଏନଡିଏ ୧.୨ ପ୍ରତିଶତ ଭୋଟରେ ଦୂରରେ ରହିଛି । ଅନ୍ୟପଟେ ବିଭିନ୍ନ ଆଞ୍ଚଳିକ ଦଳମାନେ ବିରୋଧୀ ମହାମେଣ୍ଟ ଗଠନ କରିବାକୁ ପ୍ରୟାସ ଚଳାଇଥିବା ବେଳେ ବିଜେପି ଏହି ସମୟରେ ବିଜେଡିକୁ ନିଜ ଆଡ଼କୁ ନେବାକୁ ପ୍ରୟାସ କରୁଛି । ଗତ ୨୦୧୭ ରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜେଡି ଏନଡିଏକୁ ସମର୍ଥନ କରିଥିଲା । ସେହିପରି ୨୦୧୯ରେ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିଲା । ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି ପାଖରେ ବର୍ତ୍ତମାନ ୩ ପ୍ରତିଶତ ଭୋଟ ରହିଛି ।
ନିକଟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ କରିଥିବା ବେଳେ ସାମ୍ବାଦିକମାନେ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବେ ବୋଲି ପ୍ରଶ୍ନ କରିଥିଲେ । ନିର୍ବାଚନ ପାଇଁ ବହୁତ ସମୟ ବାକି ଅଛି କହି ନବୀନ ଉକ୍ତ ପ୍ରଶ୍ନକୁ ଏକପ୍ରକାର ଏଡ଼ାଇ ଦେଇଥିଲେ । ବିଜେଡି ପାଖରେ ବର୍ତ୍ତମାନ ୧୧୩ ଜଣ ବିଧାୟକ, ଲୋକସଭାରେ ୧୨ ଓ ରାଜ୍ୟସଭାରେ ୯ ଜଣ ସାଂସଦ ରହିଛନ୍ତି । ତେଣୁ ଆଗକୁ ଆସୁଥିବା ରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ନବୀନଙ୍କ ଦିଲ୍ଲୀ ଗସ୍ତ ସମୟରେ ବିଭିନ୍ନ ରାଜନୈତିକ ଦଳର ୭୫ ଜଣ ସାଂସଦ ତାଙ୍କ ନିକଟକୁ ଆସି ଶୁଭେଚ୍ଛା ଜଣାଇବା ନବୀନଙ୍କର ଦବଦବା କେତେ ତାହା ପ୍ରମାଣିତ କରୁଛି । ୨୦୧୨ରେ ବିଜେଡି ପିଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା । ତେଣୁ ଚଳିତ ଥର ବିଜେଡି କାହାକୁ ସମର୍ଥନ କରିବ ତାହା ଏକପ୍ରକାର ରହସ୍ୟ ଘେରରେ । ଜାତୀୟ ରାଜନୀତିରେ ବିଜେଡି ନିଜର ପତିଆରା ବୃଦ୍ଧି ପାଇଁ ଯଦି କିଛି ନୂଆ ରଣନୀତି ଆପଣାଏ, ତେବେ ଏନଡିଏ ପାଇଁ ତାହା ନିଶ୍ଚତ ଭାବେ କଷ୍ଟକର ବ୍ୟାପାର ହେବ ।