ସମୁଦ୍ରର ଜଳସ୍ତର ୧ ଫୁଟ ବଢ଼ିଯିବ, ଜଳରେ ବୁଡ଼ିଯିବ ଭାରତର ୬ଟି ବଡ଼ ସହର: ଜାଣନ୍ତୁ ଏହା କେବେ ଘଟିବ ଓ ଓଡ଼ିଶା ପ୍ରଭାବିତ ହେବ କି ନା

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ହସ୍ତଗତ ହୋଇଛି । ଆଗାମୀ ଦିନରେ ସମୁଦ୍ରର ଜଳସ୍ତର ୧ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହାର ପ୍ରଭାବରେ ଦେଶର ୬ଟି ସହର ବୁଡ଼ିବା ସହ ଅଟ୍ଟାଳିକା, ସଡ଼କ ସବୁ ଜଳରାଶି ମଧ୍ୟରେ ଲୀନ ହୋଇଯିବ । ଗ୍ଲୋବାଲ ରିସ୍କ ମ୍ୟାନେଜମେଣ୍ଟ ଫାର୍ମ ଆରଏମଏସଆଇ ପକ୍ଷରୁ ଏଭଳି ଏକ ରିପୋର୍ଟ ପ୍ରକାଶ କରାଯାଇଛି । ଆରଏମଏସଆଇର ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ ଚେଞ୍ଜ (ଆଇପିସିସି)ର ଆସେସମେଣ୍ଟ ରିପୋର୍ଟ ଆଧାରରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି ।

ରିପୋର୍ଟ ଅନୁସାରେ, ଆସନ୍ତା ୨୦୫୦ ମସିହା ମଧ୍ୟରେ ମୁମ୍ବାଇ, କୋଚି, ମାଙ୍ଗାଲୋର, ଚେନ୍ନାଇ, ବିଶାଖାପଟ୍ଟନମ, ତିତୁଭନନ୍ତପୁରମ ପରି ବଡ଼ ବଡ଼ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ଏହି ସହରଗୁଡ଼ିକର ନଭଶ୍ଚୁମ୍ଭୀ ଅଟ୍ଟାଳିକା, ଆକର୍ଷଣୀୟ ରାଜପଥ ସବୁ ଜଳଘେରକୁ ଚାଲିଯିବ । ଏହି ସହରଗୁଡ଼ିକ ପାଇଁ ବିଶେଷଜ୍ଞମାନେ ହାଇ ରିଜୋଲ୍ୟୁସନ୍ ଡିଜିଟାଲ ମଡେଲ୍ ପ୍ରସ୍ତୁତ କରିଥିଲେ । ଏହାର ଜଳସ୍ତର ଓ ବନ୍ୟାକୁ ମାପିବା ପାଇଁ ଏକ ମାନଚିତ୍ର ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ୨୦୫୦ ମଧ୍ୟରେ ଭାରତର ଚାରିପାଖରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଆଇପିସିସି ଆକଳନ କରିଛି ।

ଜଳବାୟୁ ପରିବର୍ତ୍ତନକୁ ନେଇ ମିନିଷ୍ଟ୍ରି ଅଫ୍ ଆର୍ଥ ସାଇନ୍ସେସ୍ ପକ୍ଷରୁ କୁହାଯାଇଛି ଯେ, ୧୯୯୩ରୁ ୨୦୧୭ ମଧ୍ୟରେ ପ୍ରତ୍ୟେକ ବର୍ଷ ଜଳସ୍ତର ୩.୩ ମିମି ବୃଦ୍ଧି ପାଇଛି । ସେହିପରି ୨୦୫୦ ମଧ୍ୟରେ ଉତ୍ତର ଭାରତର ସମୁଦ୍ର ଜଳସ୍ତର ପାଖାପାଖି ୧ ଫୁଟ ବୃଦ୍ଧି ପାଇବ ବୋଲି ଆଇପିସିସି ଅନୁମାନ କରିଛି । ତେବେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟ୍ରପିକାଲ ମେଟେରୋଲୋଜିକାଲ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଉପକୂଳବର୍ତ୍ତୀ ଅଞ୍ଚଳ ବୁଡ଼ିବାର ଏକମାତ୍ର କାରଣ ଜଳସ୍ତର ବୃଦ୍ଧି ନୁହେଁ । ବର୍ତ୍ତମାନ ସମୟରେ ବାତ୍ୟା, ବନ୍ୟା, ଝଡ଼ ଓ ପ୍ରବଳ ବର୍ଷା ବୃଦ୍ଧି ପାଇବାରେ ଲାଗିଛି । ୧୯୫୦ ତୁଳନାରେ ଭାରି ବର୍ଷା ୩ ଗୁଣା ବୃଦ୍ଧି ପାଇଥିବା ବେଳେ ୨୦୫୦ ମଧ୍ୟରେ ବୈଶ୍ୱିକ ତାପାମତ୍ରା ପରିବର୍ତ୍ତନ ଘଟି ୨ ଡିଗ୍ରୀ ସେଲସିୟସ ବଢ଼ିବ । ଫଳରେ ପରବର୍ତ୍ତୀ ସମୟରେ ବାତ୍ୟା ଓ ପ୍ରବଳ ବର୍ଷା ସଙ୍କଟ ବୃଦ୍ଧି ପାଇବ । ତେବେ ୨୦୫୦ ମଧ୍ୟରେ ମୁମ୍ବାଇର ପାଖାପାଖି ୯୯୮ଟି ଅଟ୍ଟାଳିକା ଓ ୨୪ କିମି ଦୂରତା ବିଶିଷ୍ଟ ସଡ଼କ ପଥ ଉପରେ ଜଳସ୍ତରର ପ୍ରଭାବ ପଡ଼ିବ ବୋଲି ବିଶ୍ଲେଷଣରୁ ଜଣାପଡ଼ିଛି । ଅନୁରୂପ ଭାବେ ଅନ୍ୟ ସହରଗୁଡ଼ିକର ଅବସ୍ଥା ମଧ୍ୟ ବିଗିଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି ।