୪୨ ଡିଗ୍ରୀ ତାପମାତ୍ରାରେ ଭଙ୍ଗା ସାଇକେଲରେ କରୁଥିଲେ ଫୁଡ୍ ଡେଲିଭରୀ, ସୋସିଆଲ ମିଡ଼ିଆ ବଦଳାଇ ଦେଲା ଭାଗ୍ୟ

ନୂଆଦିଲ୍ଲୀ: ଆପଣମାନେ ଅନେକ ଲୋକଙ୍କୁ ବାଇକରେ ଫୁଡ୍ ଡେଲିଭରୀ କରୁଥିବାର ଦେଖିଥିବେ । ମାତ୍ର କେବେ ସାଇକେଲରେ ଫୁଡ ଡେଲିଭରୀ କରୁଥିବା କୌଣସି ବ୍ୟକ୍ତିଙ୍କୁ ଆପଣ ଦେଖିଛନ୍ତି କି? ଗରମ, ବର୍ଷା, ଶୀତରେ ସାଇକେଲ ଚଲାଇ ଦୂର ସ୍ଥାନରେ ଖାଦ୍ୟ ପହଞ୍ଚାଇବା ଏକ ସହଜ କାମ ନୁହେଁ । ନିକଟରେ ଜଣେ ସାଇକେଲ ଡେଲିଭରୀ ବୟଙ୍କର ଫଟୋ କେହି ଜଣେ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିଥିଲେ । ଏଥିସହିତ ଉକ୍ତ ଡେଲିଭରୀ ବୟଙ୍କ ସଂଘର୍ଷର କାହାଣୀ ମଧ୍ୟ ଶେୟାର କରିଥିଲେ । ତେବେ ଏହାପରେ ଉକ୍ତ ଡେଲିଭରୀ ବୟଙ୍କର ଭାଗ୍ୟ ବଦଳି ଯାଇଥିଲା । ତାଙ୍କର ଦୁଃଖ ଶୁଣିବା ପରେ କେହି ଜଣେ ସହୃଦୟ ବ୍ୟକ୍ତି ଏକ ବାଇକ୍ ଉପହାର ଦେଇଥିଲେ ।

ଜଣାପଡ଼ିଛି ଯେ, ଉକ୍ତ ଡେଲିଭରି ବୟଙ୍କ ନାମ ହେଉଛି ଦୁର୍ଗା ମୀଣା । ଦୁର୍ଗାଙ୍କ ଦୁଃଖଦ କାହାଣୀକୁ ଟ୍ୱିଟରରେ ଶେୟାର କରିଥିଲେ ଆଦିତ୍ୟ ଶର୍ମା ନାମକ ଜଣେ ଯୁବକ । ଦୁର୍ଗା ୪୨ ଡିଗ୍ରୀ ତାପମାତ୍ରାରେ କିଭଳି ଫୁଡ୍ ଡେଲିଭରୀ କରୁଛନ୍ତି ସେ ବିଷୟରେ ଆନନ୍ଦ ସୋସିଆଲ ମିଡ଼ିଆରେ ବର୍ଣ୍ଣନା କରିଥିଲେ । ଦୁର୍ଗାଙ୍କ ଏହି ଦୁଃଖଦ କାହାଣୀ ଅନେକ ଲୋକଙ୍କ ହୃଦୟକୁ ତରଳାଇ ଦେଇଥିଲା ।

ଗୋଟିଏ ବାଇକ୍ କିଣିବା ପାଇଁ ଡାଉନପେମେଣ୍ଟ କରାଇଦେବା ପାଇଁ ଦୁର୍ଗା ଆନନ୍ଦଙ୍କୁ ଅନୁରୋଧ କରିଥିଲେ । ଏଥିସହିତ ଇଏମଆଇ ଭରିବା ସହ ୪ ମାସରେ ସୁଧ ସହ ଡାଉନମେପେଣ୍ଟ ଫେରାଇଦେବେ ବୋଲି ଦୁର୍ଗା କହିଥିଲେ । ଏହାପରେ ଆନନ୍ଦ ଟ୍ୱିଟରରେ ୭୫ ହଜାର ଟଙ୍କା ଯୋଗାଡ଼ରେ ଲାଗି ପଡ଼ିଥିଲେ । ଦୁର୍ଗାଙ୍କ କାହାଣୀ ଶୁଣିବା ପରେ ଲୋକମାନେ ଦୁର୍ଗାଙ୍କୁ ସହାୟତାର ହାତ ବଢ଼ାଇ ଅର୍ଥ ପ୍ରଦାନ କରିଥିଲେ । ଏଭଳି ଭାବେ ଆବଶ୍ୟକୀୟ ଫଣ୍ଡ ଜମା ହୋଇପାରିଥିଲା ଓ ଦୁର୍ଗାଙ୍କର ବାଇକ୍ କିଣିବା ସ୍ୱପ୍ନ ପୂରଣ ହୋଇପାରିଥିଲା ।