କରୋନା ପଜିଟିଭ୍ ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ୫ ସଦସ୍ୟ, ପୁଣେରୁ ସ୍ଥାନାନ୍ତର ହେଲା ଦିଲ୍ଲୀ-ପଞ୍ଜାବ ମ୍ୟାଚ୍

ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ରେ କରୋନା ବିସ୍ପୋରଣ ପରେ ଆସନ୍ତା କାଲି ଅର୍ଥାତ୍ ଏପ୍ରିଲ ୨୦ ତାରିଖରେ ପୁଣେରେ ହେବାକୁ ଥିବା ମ୍ୟାଚ୍ କୁ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲୀ କ୍ୟାମ୍ପରେ ବଢୁଥିବା କରୋନା ମାମଲାକୁ ନଜରରେ ରଖି ବିସିସିଆଇ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଛି । ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଲମ୍ବା ଯାତ୍ରାକୁ ଏଡ଼ାଇବା ପାଇଁ ସ୍ଥାନ ପରିବର୍ତ୍ତନ ଜରୁରୀ ।

ସୋମବାର ଦିଲ୍ଲୀର ଦୁଇ ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ଟିମ୍ ର ସମସ୍ତ ସଦସ୍ୟ ସଙ୍ଗରୋଧରେ ରହିଛନ୍ତି । ଏହି କାରଣରୁ ଦିଲ୍ଲୀ ଗତକାଲି ମୁମ୍ବାଇରୁ ପୁଣେ ଯାତ୍ରା କରି ନଥିଲା । ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପେଟ୍ରିକ ଫରହାଟ୍ , ଚିକିତ୍ସକ ଚେତନ କୁମାର, ଅଷ୍ଟ୍ରେଲିଅ ଅଲରାଉଣ୍ଡର ମିଚେଲ ମାର୍ସ, ଟିମ୍ ଡାକ୍ତର ଅଭିଜିତ ସାଲବି, ସୋସିଆନ ମିଡିଆ ଟିମ୍ ସଦସ୍ୟ ଆକାଶ ମାନେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଏହା ପରେ ୧୬ ଏପ୍ରିଲକୁ ଟିମ୍ ର ସମସ୍ତ ସଦସ୍ୟଙ୍କର ଆରଟି-ପିସିଆର ପରୀକ୍ଷା କରାଯାଇଥିଲା । ପୁଣି ଆଜି ମଧ୍ୟ ଆରଟି-ପିସିଆର ପରୀକ୍ଷା କରାଯାଇଛି, ଏବଂ ବାକି ସମସ୍ତ ଖେଳାଳୀଙ୍କର ନେଗେଟିଭ୍ ରିପୋର୍ଟ ଆସିଥିବା ସୂଚନା ମିଳିଛି । ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଏକ ବିଜ୍ଞପ୍ତି ଜାରୀ କରି କହିଥିଲା ଯେ ମିଚେଲ ମାର୍ସ କରୋନା ଆକ୍ରାନ୍ତ ହୋଇଛନ୍ତି, ଏହା ପରେ ତାଙ୍କୁ ମେଡିକାଲେର ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି ବୋଲି କୁହାଯାଇଥିଲା ।