fbpx
BSKY
BJD SHG SKY
BJD YOUTH SKY

ବଡ଼ଗଡ଼ ହାଜତ ମୃତ୍ୟୁ ମାମଲା: ବଦଳିଲେ ତଦନ୍ତ କରୁଥିବା ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିବାଦ ମଧ୍ୟରେ ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲା । ବଡ଼ଗଡ଼ ଥାନାରେ ଦେବେନ୍ଦ୍ର ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହି ମାମଲାକୁ ନେଇ ଏବେ ଚର୍ଚ୍ଚା । ଏହାରି ମଧ୍ୟରେ ମାମଲାର ତଦନ୍ତ କରୁଥିବା ଆଇଏସଓଙ୍କୁ ବଦଳି କରାଯାଇଛି । ଏନ ଏଚ ଆର ସି ଗାଇଡ଼ ଲାଇନ ଅନୁସାରେ ବଦଳିଲେ ଆଓ ଏସ ଆଇ ଏସ କେ ବେହେରା ।

ବର୍ତ୍ତମାନ ତାଙ୍କ ସ୍ଥାନରେ ଆଇ ଆଇ ସି ରାଙ୍କର ଜଣେ ଅଧିକାରୀ ଏହି ମାମଲାର ତଦନ୍ତ ଅଧିକାରୀ ହେବ । ପୋଷ୍ଟ ମର୍ଟମ ରିପୋର୍ଟ କେଉଁ ପରିସ୍ଥିତିରେ ଆସିଲା, କେତେବେଳେ ଅସୁସ୍ଥ ଅନୁଭବ କଲେ ଓ କେତେବେଳେ ତାଙ୍କୁ ମେଡିକାଲ ନେଲେ ସେ ଦିଗରେ ହେବ ତଦନ୍ତ । ଏନ ଏଚ ଆର ସି ଗାଇଡ଼ଲାଇନ ଅନୁସାରେ ତଦନ୍ତ ହେଉଛି ନା ନାହିଁ ତାହାର ତଦାରଖ କରିବେ ଅତିରିକ୍ତ ଡିସିପି। ୪୮ ଘଣ୍ଟା ଭିତରେ ଏହି ରିପୋର୍ଟ ଡିସିପିଙ୍କୁ ରିପୋର୍ଟ ଦିଆଯିବ । ଡିସିପି ଏହି ରିପୋର୍ଟ ଏନ ଏଚ ଆର ସି କୁ ପଠାଇବେ ।

ସୂଚନାଯୋଗ୍ୟ, ସୋମବାର ହାଜତ ମୃତ୍ୟୁ ନେଇ ଦେବେନ୍ଦ୍ରଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ଯେ , ଗତକାଲି ରାତିରେ ଦେବେନ୍ଦ୍ର ରସୁଲଗଡରୁ ଘରକୁ ଫେରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଥିଲା । ଆଉ ଥାନାରେ ତାଙ୍କୁ ପିଟିପିଟି ମାରିଦିଆଯାଇଛି ।

ସେପଟେ ସାଇକେଲ ଚୋରି ସନ୍ଦେହରେ ତାଙ୍କୁ ଉଠାଇନେଇଥିଲା ପୋଲିସ । ଥାନା ହାଜତରେ ସେ ତଳେ ପଡି ଗୁରୁତର ହେବା ପରେ ଦେବେନ୍ଦ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦେବେନ୍ଦ୍ରଙ୍କ ନାଁରେ ପୂର୍ବରୁ ଏକାଧିକ ଚୋରି ମାମଲା ଥିଲା । ଗତକାଲି ଚୋରି କରୁଥିବା ବେଳେ ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ତଳେ ପଡି ଯାଇଥିଲେ । ଥାନାକୁ ଆଣି ଜେରା ବେଳେ ତାଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବା ସେ କହିଥିଲେ । ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସେପଟେ ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ଠାରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସୁବ୍ରତ ଦାସ ଆବେଦନ କରିଛନ୍ତି । ସଂପୃକ୍ତ ପୋଲିସ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଏବଂ ୫୦ ଲକ୍ଷ କ୍ଷତିପୂରଣ ଦାବି କରିଛନ୍ତି । ଅଭିଯୋଗ ପାଇଥିବା ଏବଂ ଏହା ପଞ୍ଜୀକୃତ ହୋଇଥିବା ନେଇ ଏନଏଚଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.