fbpx

ଦେଶରେ ହୋଇପାରେ ବିଜୁଳି ସଙ୍କଟ! କୋଇଲା ଅଭାବକୁ ନେଇ ଚିନ୍ତାରେ ଏହି ରାଜ୍ୟବାସୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଅନୁଭୂତ ହେଉଛି ପ୍ରଚଣ୍ଡ ରୌଦ୍ରତାପ । ଏପ୍ରିଲ ଆରମ୍ଭରୁ ହିଁ ଦେଖିବାକୁ ମିଳିଛି ଗ୍ରୀଷ୍ମପ୍ରବାହ । ଦେଶରେ ଅନେକ ସ୍ଥାନରେ ଲୁ ମଧ୍ୟ ପ୍ରବାହିତ ହେଉଛି । ଫଳରେ ଦେଶକୁ ଅଧିକ ବିଜୁଳିର ଆବଶ୍ୟକତା ରହିଛି । ଏପ୍ରିଲ ମାସର ଆରମ୍ଭରେ ବିଜୁଳି ଚାହିଦା ଗତ ୩୮ ବର୍ଷ ମଧ୍ୟରେ ରେକର୍ଡ ସ୍ତରରେ ରହିଛି । କିନ୍ତୁ ଦେଶର ଅଧିକାଂଶ ପାୱାର ପ୍ଲାଣ୍ଟରେ କୋଇଲା ଅଭାବର ସଙ୍କେତ ମିଳୁଛି । ଆଲ ଇଣ୍ଡିଆ ପାୱାର ଇଞ୍ଜିନିୟର ଫେଡେରେସନ ଅନୁଯାୟୀ ପ୍ରାୟ ୧୨ ରାଜ୍ୟର ଥର୍ମାଲ ପ୍ଲାଣ୍ଟରେ କୋଇଲା ଷ୍ଟକରେ କମିପାରେ ।

ଫେଡେରେସନ ଅନୁଯାୟୀ ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବ, ଝାରଖଣ୍ଡ ଏବଂ ହରିୟାଣା ରେ କୋଇଲା ଅଭାବ କାରଣରୁ ବିଜୁଳି କାଟ ହେଉଛି । ଫେଡରେସନ ଏହା ମଧ୍ୟ କହିଛି ଯେ ଦେଶରେ ଅକ୍ଟୋବର ୨୦୨୧ ରୁ କୋଇଲା ଅଭାବ ଯୋଗୁୁଁ ବିଜୁଳି କାଟ ହେଉଛି । ଏମିତିକି କିଛି ସ୍ଥାନରେ ୮-୮ ଘଣ୍ଟା ବିଜୁଳି କାଟ୍ ହେଉଛି ଫଳରେ ଲୋକଙ୍କୁ ଗରମ ରହିବାକୁ ପଡ଼ୁଛି । ଦେଶରେ ବିଜୁଳି ଉତ୍ପାଦନ ପାଇଁ କୋଇଲାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ ଆଜିବି ଦେଶରେ ବିଜୁଳି ଉତ୍ପାଦନରେ ୭୦ ପ୍ରତିଶତ ଅଂଶ ଜୀବାଶ୍ମ ଇନ୍ଧନର ରହିଛି ।

ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟିର ତାଜା ରିପୋର୍ଟ ଅନୁଯାୟୀ ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ର ସ୍ଥିତି ଖରାପ ରହିଛି । ରାଜସ୍ଥାନର ସବୁ ୭ ଥର୍ମାଲ ପ୍ଲାଣ୍ଟରେ କୋଇଲା ଅଭାବ ରହିଛି । ଏହି ପ୍ଲାଣ୍ଟରୁ ୭୫୮୦ ମେଗାୱାଟ ବିଜୁଳି ମିଳିଥାଏ । ଉତ୍ତରପ୍ରଦେଶ ୪ ଥର୍ମାଲ ପ୍ଲାଣ୍ଟ ମଧ୍ୟରୁ ତିନିଟିରେ କୋଇଲା କମ ରହିଛି । ଏହି ଷ୍ଟେସନରୁ ୬୧୨୯ ମେଗାୱାଟ ବିଜୁଳି ଉତ୍ପନ୍ନ ହୋଇଥାଏ ।

Get real time updates directly on you device, subscribe now.